ନୂଆଦିଲ୍ଲୀ : ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଦିଲ୍ଲୀ ସରକାର ତାଙ୍କ କର୍ମଚାରୀଙ୍କ ସ୍ୱାର୍ଥ ପାଇଁ ଏବଂ ବଢ଼ୁଥିବା ଇନ୍ଧନ ସଙ୍କଟର ସମାଧାନ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ଇନ୍ଧନ ବଞ୍ଚାଇବା, ପ୍ରଦୂଷଣ କମ୍ କରିବା ଏବଂ ପବ୍ଲିକ ଟ୍ରାନ୍ସପୋର୍ଟକୁ ବଢାଇବା ପାଇଁ ନୂଆ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି । ଯଦି ଆପଣ ନିଜ ବାଇକ୍ ଓ କାର୍ ଛାଡି ଅଫିସ ଯିବାକୁ ମେଟ୍ରୋ କିମ୍ବା ଡିଟିସି ବସ୍ ବ୍ୟବହାର କରନ୍ତି, ତେବେ ଆପଣଙ୍କ ଅଧିକ ଦରମା ମିଳିବ ।
ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି କି, ସରକାରୀ କର୍ମଚାରୀ ଦିଲ୍ଲୀ ମେଟ୍ରୋ, ଡିଟିସି ବସ କିମ୍ବା ଅନ୍ୟାନ୍ୟ ସାର୍ବଜନୀନ ପରିବହନ ବ୍ୟବହାର କରୁଥିବା ସମସ୍ତ କର୍ମଚାରୀଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ (ଅତିରିକ୍ତ ଭତ୍ତା) ପ୍ରଦାନ କରିବେ । ଯେଉଁ କର୍ମଚାରୀ ନିଜର ଟ୍ରାନ୍ସପୋର୍ଟ ଆଲାଉନ୍ସର ଏକ ଭାଗ ମେଟ୍ରୋ କିମ୍ବା ବସରେ ଯାତ୍ରା କରି ଖର୍ଚ୍ଚ କରିବେ, ସେମାନଙ୍କୁ ୧୦% ଅତିରିକ୍ତ ଟ୍ରାନ୍ସପୋର୍ଟ ଆଲାଉନ୍ସ ମିଳିବ । ଏହି ରାଶି ସେମାନଙ୍କୁ ମାସିକିଆ ଦରମା ସହିତ ମିଳିବ ।
ଗତ ମାସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ୯୦ ଦିନିଆ ’ମୋ ଭାରତ, ମୋର ଅବଦାନ’ ଇନ୍ଧନ ସଞ୍ଚୟ ଅଭିଯାନ ଆରମ୍ଭ କରିଥିଲେ, ଯାହା ସମସ୍ତ ଦିଲ୍ଲୀ ସରକାରୀ କର୍ମଚାରୀଙ୍କୁ ଦୁଇ ଦିନ ଘରୁ କାମ କରିବାକୁ ଏବଂ ସାର୍ବଜନୀନ ପରିବହନ ବ୍ୟବହାର କରିବାକୁ ବାଧ୍ୟତାମୂଳକ ବୋଲି ମଧ୍ୟ ଘୋଷଣା କରାଯାଇଥିଲା ।
ଅର୍ଥ ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଯଦି ଜଣେ ସରକାରୀ କର୍ମଚାରୀ ଦିଲ୍ଲୀ ପରିବହନ ନିଗମ ଦ୍ୱାରା ଜାରି କରାଯାଇଥିବା ଏକ କମନ ମୋବିଲିଟି କାର୍ଡ କ୍ରୟ କିମ୍ବା ରିଚାର୍ଜ କରିବାରେ ସେମାନଙ୍କର ମାସିକ ପରିବହନ ଭତ୍ତାର ଅତି କମରେ ୨୫ ପ୍ରତିଶତ ଖର୍ଚ୍ଚ କରନ୍ତି, ତେବେ ସେମାନେ ଏହି ଯୋଜନା ପାଇଁ ଯୋଗ୍ୟ ହେବେ । ଏହିପରି କର୍ମଚାରୀମାନେ ସେମାନଙ୍କର ମୋଟ ପରିବହନ ଭତ୍ତାର ୧୦ ପ୍ରତିଶତ ସହିତ ସମାନ ଅତିରିକ୍ତ ପ୍ରୋତ୍ସାହନ ପାଇବେ । ଏହି ପରିମାଣ ପ୍ରତି ମାସରେ ସେମାନଙ୍କ ଦରମାରେ ଯୋଡାଯିବ । ଏହି ଯୋଜନା ବର୍ତ୍ତମାନ ଛଅ ମାସର ପ୍ରାରମ୍ଭିକ ଅବଧି ପାଇଁ କାର୍ଯ୍ୟକାରୀ ହେଉଛି ।

