ଯାଜପୁର ଟାଉନ : କଥା ଦେଇ କଥା ରଖିଲେ ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନକୁ ଡାକି ବକେୟା ପାଉଣା ଦେଲେ ମହାମହିମ ରାଷ୍ଟ୍ରପତି । ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁଙ୍କ ଅତିଥି ସାଜିଲେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଅଂଗଲାଗି ସେବାୟତ ପ୍ରତିନିଧି ଦଳ । ଚଳିତ ବର୍ଷ ଫେବୃଆରୀ ୩ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁ ଓଡ଼ିଶା ଗସ୍ତରେ ଆସି ଯାଜପୁର ଆସି ମା ବିରଜାଙ୍କ ଦର୍ଶନ କରିଥିଲେ ।
ମା ବିରଜାଙ୍କ ଦର୍ଶନ ସାରିବା ପରେ ନାଭିଗୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥିଲେ । ଏହି ସମୟରେ ରାଷ୍ଟ୍ରପତି ବିଧି ମୁତାବକ ଦକ୍ଷିଣା ଦେବାକୁ ଇଚ୍ଛା କରିଥିଲେ। କିନ୍ତୁ ଦକ୍ଷିଣା ରାଷ୍ଟ୍ରପତି ଭବନ ରୁ ଆଣିବା ସହିତ ସେଇଠି ଭୋଜନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ସେବାୟତ । ସେବାୟତ ମାନଙ୍କ ଇଚ୍ଛା କୁ ସମ୍ମାନ ଜଣାଇ ସେବାୟତ ପରିଷଦ ଙ୍କୁ ରାଷ୍ଟ୍ରପତି ଭବନ କୁ ଯିବା ପାଇଁ ନିମନ୍ତ୍ରଣ ଆସିଲା ।
ଗତକାଲି ଠାରୁ ସେବାୟତ ପରିଷଦ ର ସଭାପତି ଦେବୀ ପ୍ରସାଦ ପାଣି ଙ୍କ ନେତୃତ୍ୱ ରେ ସଦସ୍ୟ ମାନେ ରାଷ୍ଟ୍ରପତି ଭବନରେ ପହଂଚିଛନ୍ତି । ସାଙ୍ଗରେ ମା ବିରଜା ମନ୍ଦିର ର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀ ଅଛନ୍ତି । ସେଠାରେ ମହାମହିମ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁଙ୍କୁ ସାକ୍ଷାତ କରି ବିଭିନ୍ନ ବିଷୟ ରେ ଆଲୋଚନା ମଧ୍ୟ କରିଛନ୍ତି ।

