ତିହିଡି : ବଜ୍ରପାତରେ ଜଳିଗଲା ୨ ପରିବାରର ୪ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସହ ଘନଘନ ବଜ୍ରପାତ ହେବା ଫଳରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ବାରୋ ପଞ୍ଚାୟତ ଦହପାଣିଆ ଗାଁର ବିଷ୍ଣୁ ମୋହନ ମହାଳିକ ଓ ତାଙ୍କ ପଡ଼ୋଶୀଙ୍କର ୪ ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଛି । ପରିବାର ଲୋକ ଖିଆପିଆ କରୁଥିବା ସମୟରେ ଘନଘନ ବଜ୍ରାପାତ ହେବାରୁ ପାଖରେ ଥିବା ଅନ୍ୟ ପଡ଼ୋଶୀଙ୍କ କୋଠା ଘରକୁ ଧାଇଁ ପଳାଇ ଯାଈଥିଲେ। ଫଳରେ ପରିବାରଙ୍କର ୩ ଛୋଟ ପିଲାଙ୍କ ସହ ୮ଜଣଙ୍କର ଜୀବନ ଅଳ୍ପକେ ବର୍ତ୍ତି ଯାଇଥିବା କହିଛନ୍ତି ପରିବାର ଲୋକ। ଏପରିକି ଘରେ ନିଆଁ ଲାଗିଯିବା ଯୋଗୁଁ ଘର ଭିତରେ ଥିବା ସମସ୍ତ ଆସଵାପତ୍ର ଓ ଧାନ ଚାଉଳ ସବୁ ପୋଡ଼ି ପାଉଁଶ ହୋଇ ଯାଇଛି। ଗ୍ରାମବାସୀ ମାନେ ନିଆଁକୁ ଆୟତ୍ତ କରିଵା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

