ତିହିଡି-ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିନସ୍ଥ ଓରାସାହି ପଞ୍ଚାୟତ ବାଘନଟା ଗ୍ରାମର ନାବାଳିକା ଅପହରଣ ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ୍ କରି ଆଜି କୋର୍ଟ ଚାଲାଣ କରିଛି । ପୀଡିତାଙ୍କ ପିତା ଚାନ୍ଦବାଲି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ୨୦୭/୨୬ ରୁଜୁ କରି ତଦନ୍ତ ଚଳାଇଥିଲା। ମୁଖ୍ୟ ଅଭିଯୁକ୍ତ ମୟୁରଭଞ୍ଜ ବାଙ୍ଗିରୀପୋଷି ଗାଁର ଚନ୍ଦନ ନାୟକଙ୍କ ସହ ଅମର ମାଝୀ, ପ୍ରକାଶ ପରିଡା, ଅଶୋକ ଦାସ ଓ ରାକେଶ ସେଠୀ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି। ମୁଖ୍ୟ ଅଭିଯୁକ୍ତ ଚନ୍ଦନ ନାୟକ ମୟୁରଭଞ୍ଜରୁ ଆସି କିଛି ବର୍ଷ ହେବ ବାଘନଟା ଗାଁରେ ଟ୍ରାକ୍ଟର ଚାଳକ ଭାବେ କାମ କରୁଥିଲା। ପୂର୍ବରୁ ନାବାଳିକାଙ୍କୁ ବାରମ୍ବାର ପ୍ରେମ ନିବେଦନ କରିବାକୁ ନେଇ ବିବାଦ ହୋଇଥିଲା ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆପୋଷ ସମାଧାନ ମଧ ହୋଇଥିଲା। ହେଲେ ଚଳିତ ମାସ ୨୪ ତାରିଖରେ ନାବାଳିକାଙ୍କୁ ଅପହରଣ କରା ଯାଇଥିବା ଅଭିଯୋଗ ହୋଇଥିଲା। ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଘଟଣାରେ ସଂପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

