ବଲିଉଡ ସୁପରଷ୍ଟାର ରଣବୀରଙ୍କୁ ବଡ଼ ଝଟକା! । ରଣବୀରଙ୍କୁ ବ୍ୟାନ୍ କଲା ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍ । ଏକ ବଡ଼ ନିଷ୍ପତ୍ତି କ୍ରମେ, ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍ ରଣବୀର ସିଂଙ୍କ ବିରୋଧରେ ଏକ ଆନୁଷ୍ଠାନିକ ‘ଅସହଯୋଗ ନିର୍ଦ୍ଦେଶନାମା’ ଜାରି କରିଛି । ଏହାର ସିଧାସଳଖ ଅର୍ଥ ହେଉଛି, ‘ଡନ୍ ୩’ ଫିଲ୍ମକୁ ନେଇ ଚାଲିଥିବା ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରିର କୌଣସି କର୍ମଚାରୀ ବା ଟେକ୍ନିସିଆନ୍ ରଣବୀରଙ୍କ ସହ କାମ କରିପାରିବେ ନାହିଁ । ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ଏହି ଚମକାଇଲା ଭଳି ଘୋଷଣା କରାଯାଇଛି ।
ତେବେ କାହିଁକି ନିଆଗଲା ଏଭଳି କଠୋର ପଦକ୍ଷେପ ? ୨୦୨୩ ମସିହାରେ ଫରହାନ୍ ଅଖତରଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଡନ୍ ୩’ ର ମୁଖ୍ୟ ନାୟକ ଭାବେ ରଣବୀର ସିଂହଙ୍କ ନାମ ଘୋଷଣା କରାଯାଇଥିଲା । ମାତ୍ର ସ୍କ୍ରିପ୍ଟ ଏବଂ ଚରିତ୍ରକୁ ନେଇ କିଛି ମନୋମାଳିନ୍ୟ ଯୋଗୁଁ ରଣବୀର ହଠାତ୍ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ । ପ୍ରଯୋଜନା ସଂସ୍ଥା ‘ଏକ୍ସେଲ୍ ଏଣ୍ଟରଟେନମେଣ୍ଟ’ର ଦାବି ଅନୁଯାୟୀ, ରଣବୀରଙ୍କ ଏହି ନିଷ୍ପତ୍ତି ଯୋଗୁଁ ପ୍ରି-ପ୍ରଡକ୍ସନ ଏବଂ ସିଡ୍ୟୁଲ୍ ବାତିଲ ବାବଦରେ ପ୍ରାୟ ୪୫ କୋଟିର ବଡ଼ ଆର୍ଥିକ କ୍ଷତି ହୋଇଛି ।
FWICE ସଭାପତି ବି.ଏନ୍.ତିୱାରୀ ଏବଂ ସାଧାରଣ ସମ୍ପାଦକ ଅଶୋକ ଦୁବେ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ବିଷୟରେ ପକ୍ଷ ରଖିବା ପାଇଁ ରଣବୀରଙ୍କୁ ଏକାଧିକ ନୋଟିସ୍ ଦିଆଯାଇଥିଲା । କିନ୍ତୁ ଅଭିନେତାଙ୍କ ଟିମ୍ ଏହାକୁ ଏକ ଚୁକ୍ତିଭିତ୍ତିକ ମାମଲା ଦର୍ଶାଇ ସଂଘ ସାମ୍ନାକୁ ଆସିବାକୁ ମନା କରିଦେଇଥିଲା । କୌଣସି ସୁପରଷ୍ଟାର ଇଣ୍ଡଷ୍ଟ୍ରି ଏବଂ ଏହାର ଶ୍ରମିକମାନଙ୍କ ଠାରୁ ବଡ଼ ନୁହନ୍ତି । ରଣବୀରଙ୍କ ଏହି ନିଷ୍ପତ୍ତି ଯୋଗୁଁ ହଜାର ହଜାର ଦୈନିକ ମଜୁରିଆ ଓ ଟେକ୍ନିସିଆନଙ୍କ ଜୀବିକା ପ୍ରଭାବିତ ହୋଇଛି,’ ବୋଲି ତିୱାରୀ କହିଛନ୍ତି ।
ତେବେ ଏହି ବ୍ୟାନ୍ ଘୋଷଣା ପରେ ରଣବୀର ସିଂହଙ୍କ ମୁଖପାତ୍ର ଏକ ବିବୃତ୍ତି ଜାରି କରି କହିଛନ୍ତି, ରଣବୀର ସିଂହ ଚଳଚ୍ଚିତ୍ର ଜଗତ ଏବଂ ‘ଡନ୍’ ଫ୍ରାଞ୍ଚାଇଜ୍ ସହ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କୁ ଗଭୀର ସମ୍ମାନ କରନ୍ତି । ବୃତ୍ତିଗତ ଆଲୋଚନା ଏବଂ ବ୍ୟକ୍ତିଗତ ସମ୍ପର୍କକୁ ପରିପକ୍ୱତା, ସମ୍ମାନ ଓ ଶାଳୀନତାର ସହ ସମାଧାନ କରାଯିବା ଉଚିତ ବୋଲି ସେ ବିଶ୍ୱାସ କରନ୍ତି, ତେଣୁ ସେ ଏହି ପ୍ରସଙ୍ଗରେ ନିରବ ରହିବାକୁ ଶ୍ରେୟସ୍କର ମଣିଛନ୍ତି । ଏଥିସହ ସେ ଫ୍ରାଞ୍ଚାଇଜ୍ ର ସଫଳତା କାମନା କରିଛନ୍ତି ।

