ବାଲେଶ୍ୱର ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ପୂର୍ବ ପ୍ରତିଶୃତି ଅନୁଯାୟୀ ନିରନ୍ତର ପଦକ୍ଷେପ ନେଉଛନ୍ତି ବିଧାୟକ ମାନସ କୁମାର ଦତ୍ତ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ପୌରାଂଚଳର ଜନସାଧାରଣଙ୍କ ଆବଶ୍ୟକତା ଓ ଦାବିକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ପ୍ରକଳ୍ପଗୁଡିକର ଶିଳାନ୍ୟାସ ଏବଂ ପୂର୍ଣ୍ଣାଙ୍ଗ ପ୍ରକଳ୍ପର ଉଦଘାଟନ କରୁଛନ୍ତି ସଦର ବିଧାୟକ ଶ୍ରୀ ଦତ୍ତ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ପୌରାଂଚଳର ୧ନଂ ୱାର୍ଡ ଅନ୍ତର୍ଗତ ପୁରୁଣା ବାଲେଶ୍ୱରର ଶୀତଳା ମନ୍ଦିର ଅଂଚଳରେ ଉଦବୃତ ଜଳ ନିଷ୍କାସନ ସମସ୍ୟାର ନିରାକରଣ ନେଇ ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନର ଆଶା ଓ ଆକାଂକ୍ଷା ପୁରଣ ହେବାକୁ ଯାଉଛି । ଶୀତଳା ମନ୍ଦିର ଠାରୁ ସ୍ଥାନୀୟ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ପର୍ଯ୍ୟନ୍ତ ରାସ୍ତା ପାଶ୍ୱର୍ ନାଳ ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ବିଧାୟକ ଶ୍ରୀ ଦତ୍ତ ।

୩୦୦ମିଟର ଲମ୍ବର କଂକ୍ରିଟ ନାଳ ନିର୍ମାଣ ପାଇଁ ବାଲେଶ୍ୱର ପୌରପାଳିକା ପକ୍ଷରୁ ୭୫ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି । ସମ୍ପ୍ରତି ରାଜ୍ୟର ଲୋକପ୍ରିୟ ସରକାର ସହରଗୁଡିକର ଉନ୍ନତି ପାଇଁ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଅନୁଦାନ ପ୍ରଦାନ କରୁଛନ୍ତି ।

ଏହି ସୁତ୍ରରେ ବାଲେଶ୍ୱର ସହରର ବିକାଶ ପାଇଁ ନିରନ୍ତର ଉଦ୍ୟମ ଜାରି ରହିଛି । ଧାର୍ଯ୍ୟ ସମୟସୀମା ମଧ୍ୟରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବିଧାୟକ ଶ୍ରୀ ଦତ୍ତ ଏହି ଅବସରରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୌରାଧ୍ୟକ୍ଷା ସବିତା ସାହୁ ଏଥିରେ ପୌରହିତ୍ୱ କରିବା ସହିତ ବାଲେଶ୍ୱର ସହରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ସହିତ କାର୍ଯ୍ୟକାରୀ ହେବାକୁ ଥିବା ନାଳ କାର୍ଯ୍ୟର ଉପାଦେୟତା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ୧ନଂ ୱାର୍ଡ କାଉନସିଲର ସୁସ୍ମିତା ନାଥ ଉପସ୍ଥିତ ରହି ସମସ୍ତ ପ୍ରକଳ୍ପ କାର୍ଯ୍ୟକାରିତାରେ ବିଧାୟକ ଓ ପୌରାଧ୍ୟକ୍ଷାଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ । ପୌରନିର୍ବାହୀ ଅଧିକାରୀ ସିରିୟଲ ଶୁଭ୍ର ପଟେଲ ଓ ପୌରଯନ୍ତ୍ରୀ ସୀମାଂଚଳ ମିଶ୍ରଙ୍କ ସହ ବରିଷ୍ଠ ନେତା ଗୌରାଙ୍ଗ ଦାସ, ଭାଗବତ ସାହୁ, ଉପେନ୍ଦ୍ର ଶତପଥୀ, ଅନନ୍ତ ନାୟକ, କାର୍ତ୍ତିକ ନାଥ, ସୁକାନ୍ତ ଖଟୁଆ, ଦିଲୀପ ମାଝୀ, ବିଶ୍ୱଜିତ ଖଟୁଆ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

