ରାୟଗଡ଼ା: ରାୟଗଡ଼ାରେ ଗ୍ୟାଙ୍ଗ ୱାରରେ ନିଖିଲ ହାଡ଼ିପାଙ୍କୁ ହତ୍ୟା ଘଟଣାରେ ଚିହ୍ନଟ ହୋଇ ସାରିଛନ୍ତି ହତ୍ୟାକାରୀ । ପୋଲିସର ସ୍ୱତନ୍ତ୍ର ସ୍କ୍ବାଡ ବିଭିନ୍ନ ସ୍ଥାନରେ ଛାପା ମାରିଛନ୍ତି । ସହରବାସୀ ଆତଙ୍କିତ ଥିବା ବେଳେ ସହରରେ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମୃତ ନିଖିଲ ହାଡ଼ିପାଙ୍କ ମୃତଦେହକୁ ଧରି ସହରରେ ବିରାଟ ପଟୁଆରରେ ଶୋଭାଯାତ୍ରା ବାହାରିଥିଲା । ଶହ ଶହ ଲୋକ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଆଜି ସନ୍ଧ୍ୟା ରେ ପୋଲିସ ତରଫରୁ ସାମ୍ବାଦିକ ସମ୍ମିଳନୀ କରାଯିବା ନେଇ ସ୍ଥିର ହୋଇଛି।
ସୂଚନା ମୁତାବକ, ଦୁଇଜଣ ଯୁବକ ଗୋଟିଏ ବୁଲେଟ ଏବଂ ଏକ ଚାରିଚକିଆ ଗାଡିରେ ଆଉ କିଛି ଯୁବକ ସହରର ଜନଗହଳିପୂର୍ଣ୍ଣ ଇନ୍ଦିରା ନଗର ତୃତୀୟ ଲାଇନରେ ରାୟଗଡା ଆମ୍ବେଦକର ନଗରର ହାଡିପା ନିଖିଲ ନାମରେ ଜଣେ ଯୁବକଙ୍କୁ ଅଟକାଇଥିଲେ । ସେଠାରେ ଦୁର୍ବୃତ୍ତଙ୍କ ସହ ନିଖିଲଙ୍କ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ନିଖିଲ ପ୍ରାଣ ଭୟରେ ଦୌଡିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ନିଖିଲ ପ୍ରାଣ ଭୟରେ ଜଣଙ୍କ ଘରକୁ ପସିଯିବାକୁ ଉଦ୍ୟମ କରିବା ବେଳେ ପଛରେ ଗୋଡାଉଥିବା ଦୁର୍ବୃତ୍ତମାନେ ତାଙ୍କୁ ଅପହରଣ କରି ସହରର ରିଂ ରୋଡ ପଟେ ଚାଲି ଯାଇଥିଲେ । ପରେ ନିଖିଲଙ୍କୁ ହତ୍ୟା କରି ନଦୀକୂଳରେ ଫୋପାଡି ଦେଇ ଫେରାର ହୋଇଯାଇଥିଲେ । ପୁଅର ହତ୍ୟା ଘଟଣାରେ ସହରରେ ଆଉ ଏକ ଗ୍ୟାଙ୍ଗର ହାତ ରହିଥିବା ତାଙ୍କ ମାଆ ହାଡ଼ିପା ବାଲାମା ଅଭିଯୋଗ କରିଛନ୍ତି । ମୃତ ନିଖିଲର ପତ୍ନୀ ତିନି ମାସର ଗର୍ଭବତୀ । ଟାଉନ୍ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ।

