ତିହିଡି-ନିଜ ଵୃଦ୍ଧା ମାଆର ଶବ ସତ୍କାର ପାଇଁ ସାହି ଭାଇଠୁଁ ଆରମ୍ଭ କରି ଜ୍ଞାତି କୁଟୁମ୍ବ ପର୍ଯ୍ୟନ୍ତ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ଅସହାୟ ରୋଗୀଣା ପୁଅ ମାନସ। ହେଲେ ତାଙ୍କୁ କେହିବି ସହଯୋଗ କରିନଥିଲେ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୀରହାଟ ଦୌଲତପୁର ଅଞ୍ଚଳରେ। ପୀରହାଟ ବଜାରରେ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଟପୁର ଅନହୁରପୁର ଗାଁର ମାନସ ରଞ୍ଜନ ରାଉତ ନିଜ ଵୃଦ୍ଧା ମାଆଙ୍କୁ ଧରି ଏକ ପରିତ୍ୟକ୍ତ ଘରେ ରହୁଥିଲେ। ମାନସ ନିଜେ ରୋଗୀଣା ଥିବାବେଳେ ତାଙ୍କର ଦୁଇଟି ପିଲାଙ୍କୁ ଅନାଥ ଆଶ୍ରମରେ ଛାଡ଼ିଦେଇ ଵୃଦ୍ଧା ମାଆଙ୍କ ପାଖରେ ରହୁଥିଲେ। ଗତକାଲି ଵୃଦ୍ଧା ମାଆଙ୍କର ଦେହ ଖରାପ ହେବାରୁ ତାଙ୍କୁ ନିକଟସ୍ତ ଡାକ୍ତରଖାନାକୁ ନେଇଥିଲେ। ହେଲେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବଡ଼ ଡାକ୍ତରଖାନା ନେବାକୁ କୁହାଯାଇଥିଲା। ଅସହାୟ ମାନସ ଅସମର୍ଥ ହୋଇ ମାଆକୁ ଧରି ନିଜ ଗାଁ ଘଟପୁରକୁ ଯିବାକୁ ପଡୋଶୀ ସାହି ଭାଇଙ୍କ ସହ ଯୋଗାଯୋଗ କରିଥିଲେ ହେଲେ ସେମାନେ ଗାଁକୁ ଆସିଲେ କୌଣସି ସହଯୋଗ କରିବୁ ନାହିଁ ବୋଲି ସେମାନେ ମନା କରିଥିଲେ। ଶେଷରେ ବାଧ୍ୟ ହୋଇ ମାକୁ ଧରି ସେହି ପରିତ୍ୟକ୍ତ ଘରକୁ ଫେରିଥିଲେ। ବିଳମ୍ବିତ ରାତିରେ ମାଆଙ୍କର ଦେହାନ୍ତ ହୋଇଥିଲା। ମାନସ ସକାଳେ ଏ ସଂକ୍ରାନ୍ତରେ ଦୌଲତପୁର ସରପଞ୍ଚଙ୍କୁ ଅବଗତ କରିବା ସହ ଶବ୍ବ ସତ୍କାର ପାଇଁ ପ୍ରଦେଶ ସେବା ସଂଗଠନ ନିକଟରେ ନିଜର ଅସହାୟତା ପ୍ରକାଶ କରିଥିଲେ। ସଂଗଠନର କର୍ମକର୍ତା ସ୍ଥାନୀୟ ପିରହାଟ ଥାନାକୁ ଅବଗତ କରିବା ସହ ସରପଞ୍ଚ ପ୍ରଭାତ ମିଶ୍ରଙ୍କୁ ଅବଗତ କରିବା ପରେ ଶବ ସତ୍କାର ପାଇଁ ବ୍ୟବସ୍ଥା କରିଥିଲେ। ସଂଗଠନର ସଭାପତି ରଞ୍ଜନ ମିଶ୍ରଙ୍କ ତତ୍ୱାବଧାନରେ ଉପଦେଷ୍ଟା ଧୃବ ଚରଣ ପାଣିଗ୍ରାହୀ, ଆର୍ତ୍ତ ବଲ୍ଲବ ବାରିକ, ନରେନ୍ଦ୍ର ଜେନା, ସତ୍ୟାନନ୍ଦ ଜେନା ପ୍ରମୁଖ ପୀରହାଟ ଅଞ୍ଚଳରେ ମଶାଣି ମଣିଷ ଭାବେ ପରିଚିତ ଈଶ୍ୱର ବେହେରା, ଲୋକ ନାଥ ସାହୁ, ଶଶିକାନ୍ତ ମହାରଣା ଓ ସୂର୍ଯ୍ୟମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପୁଅ ମାନସ ରାଉତ ମୁଖାଗ୍ନି ଦେଇଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

