ପୁରୀ : କୁଆଡୁ ଥିଲା ମାଡି ଆସିଲା କାଳବୈଶାଖୀ । ଛାରଖାର କରିଦେଲା ମାଣ୍ଡିଆ ଫସଲ । ବିଲରେ ଶୋଇଗଲା ଅମଳ । ପାଚିଲା ମାଣ୍ଡିଆ ଗଜା ହୋଇ ନଷ୍ଟ ହୋଇଯାଇଛି । କାଳବୈଶାଖୀ ବର୍ଷାରେ ଉଜୁଡି ଗଲା ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟ ଉଦୟପୁର ଗାଁର ମାଣ୍ଡିଆ ଚାଷ । ଏବେ ଚିନ୍ତାରେ ରହିଛନ୍ତି ପୁରୀ ଅସ୍ତରଙ୍ଗ ବ୍ଲକର ଉଦୟପୁର ଗାଁର ମହିଳା ଚାଷୀ । କାରଣ କାଳବୈଶାଖୀ ବର୍ଷା ଓ ପବନ ସେମାନଙ୍କ ସବୁ ସ୍ବପ୍ନକୁ ଧୂଳିସାତ କରି ଦେଇଛି ।
ସୂଚନାନୁଯାୟୀ, ଗାଁର ଏକ ମହିଳା ଗୋଷ୍ଠୀର ୨୩ ଜଣ ଏହି ମାଣ୍ଡିଆ ଚାଷ କରିଥିଲେ । ୭ ଏକର ଜମିକୁ ଭାଗରେ ଆଣି ମହିଳାମାନେ ମାଣ୍ଡିଆ ଚାଷ କରିଥିଲେ । ଫସଲ ମଧ୍ୟ ଭଲ ହୋଇଥିଲା । ମାତ୍ର ଠିକ ଅମଳ ବେଳକୁ ବର୍ଷା ଓ ପବନ ଦାଉ ସାଜିଲା । ବର୍ଷକର ପରିଶ୍ରମ ଫସର ଫାଟିଗଲା । ବର୍ଷା ପବନ ମାଡ଼ରେ ମାଣ୍ଡିଆ ଖୋଷାରୁ ଦାନା ଗୁଡିକ ଝଡି ପଡିଛି । ବର୍ଷାରେ ଭିଜି ଯାଇଛି। ମାଣ୍ଡିଆ ମଞ୍ଜି ଗୁଡିକ ଗଜା ହୋଇ ଯାଇଛି । ସବୁକିଛି ଉଜୁଡି ଯିବା ସତ୍ତ୍ବେ ଏଯାଏଁ ସେମାନଙ୍କୁ କ୍ଷତିପୂରଣ ମିଳିନି । ମାଣ୍ଡିଆ ଚାଷ ଗତବର୍ଷଠାରୁ ସରକାରୀ ସହାୟତାରେ ଆସିଛି। ମାତ୍ର ସେମାନଙ୍କୁ ଦିଆଯାଇନଥିବା ଅଭିଯୋଗ ହୋଇଛି। ଏବେ କାଳବୈଶାଖୀ ଯୋଗୁଁ ହୋଇଥିବା କ୍ଷତିର ଭରଣା କେମିତି ହେବ ସେହି ଚିନ୍ତା ଘାରିଛି ଚାଷୀଙ୍କୁ । ଏନେଇ ବିଭାଗୀୟ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

