ତିହିଡି, ୦୩.୦୫: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ରାଜନଗର ପଞ୍ଚାୟତ ଅଧିନ ଚାରିତରଫ ଗାଁରେ କଂଗ୍ରେସ ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ଜିତେନ୍ଦ୍ର ବଳଙ୍କ ପରିବାର ସହ ୫୦ରୁ ଉର୍ଦ୍ଧ ଟାଣୁଆ କର୍ମୀ କଂଗ୍ରେସରେ ସାମିଲ ହୋଇଥିବା ଜଣାଯାଇଛି । ଜିତେନ୍ଦ୍ର ମୂଳରୁ କଂଗ୍ରେସରେ ଥିଲେ । କେତେକ କାରଣ ବଶତଃ ଗତ ପଞ୍ଚାୟତ ନିର୍ବାଚନ ସମୟରେ ବିଜେପିରେ ମିଶିଥିଲେ ଏବଂ ଦଳ ପାଇଁ ଭଲ କାମ ମଧ୍ୟ କରିଥିଲେ । ତେବେ ବିଗତ କିଛିଦିନ ହେଲା ଦଳୀୟ ସ୍ତରରେ ତାଙ୍କୁ ଅଣଦେଖା କରା ଯାଉଛି ଏବଂ ଦଳରେ ଥାଇ ମଧ୍ୟ ସେ କୌଣସି ସମ୍ମାନ ପାଇବାରୁ ବଞ୍ôଚତ ହେଉଛନ୍ତି । ଅଣନିଶ୍ୱାସୀ ହୋଇ ବିଜେପିରେ ରହିବା ବଦଳରେ ମୂଳ ଦଳକୁ ଫେରି ଜୀବନ ସାରା କାମ କରିବାକୁ ନିଷ୍ପତି ନେଇ ଶେଷରେ ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା କହିଛନ୍ତି । ଜିତେନ୍ଦ୍ରଙ୍କ ପୁଅ ଓ ତାଙ୍କ ଅଧିକାଂଶ ସମର୍ଥକ ମଧ୍ୟ ଏଥିରେ ସାମିଲ ହୋଇଥିବା ଜଣା ଯାଇଛି । ରବିବାର ପୂର୍ବାହ୍ନରେ ବରିଷ୍ଠ କଂଗ୍ରେସ ନେତା ସୁଦର୍ଶନ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ମିଶ୍ରଣ ପର୍ବରେ ତିହିଡି ବ୍ଲକ କଂଗ୍ରେସର ସଭାପତି ସରୋଜ କୁମାର ଦାସ, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ସତ୍ୟାନନ୍ଦ ରାଉତ, ରାଜନଗର ପଞ୍ଚାୟତ ସଭାପତି ରବିନ୍ଦ୍ର କୁମାର ମହାନ୍ତି, ଜାମଯୋଡି ପଞ୍ଚାୟତ ସଭାପତି ବସନ୍ତ କୁମାର ନାୟକ, ବରିଷ୍ଠ ନେତା ବଟକୃଷ୍ଣ ନାୟକ ପ୍ରମୁଖ ମଞ୍ଚାସୀନ ହୋଇ ଦଳକୁ ଫେରିଥିବା କର୍ମୀମାନଙ୍କୁ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ । ଆଗାମି ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ ଦଳ ପାଇଁ କାମ କରିବାକୁ ଉପସ୍ଥିତ ନେତାମାନେ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ନିରଞ୍ଜନ ସ୍ୱାଇଁ, ଚୈତନ୍ୟ ସେଠୀ, ପୀତବାସ ନାୟକ, ଦିବାକର ପଣ୍ଡା, ଶତୃଘ୍ନ ପଣ୍ଡା, ହରିହର ସାହୁ, ଶିବ ପ୍ରସାଦ ସାହୁ, ପ୍ରଭାତ ବିଶ୍ୱାଳ, ମହେନ୍ଦ୍ର ସାହୁ, କପିଳେନ୍ଦ୍ର ସାହୁ, ଶଶିକାନ୍ତ ପ୍ରଧାନ, ସୁବାଶ ପ୍ରଧାନ ପ୍ରମୁଖ ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

