ତିହିଡି, ୦୨.୦୫: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ନୂଆପାଟଣା ଗ୍ରାମର ଲକ୍ଷ୍ମୀନାରାୟଣଙ୍କ ୨୨ତମ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ମହାସମାରୋହରେ ପାଳିତ ହୋଇଯାଇଛି । ଗତ୨୮ତାରିଖରୁ ଆରମ୍ଭ ହୋଇଥିବା ଉକ୍ତ ଉତ୍ସବ ଚଳିତ ମାସ ୧ ତାରିଖ ସଂଧ୍ୟାରେ ସମାହିତ ହୋଇ ଯାଇଛି । ୨୮ ତାରିଖରେ ଅଙ୍କୁରାରୋପଣ, ୨୯ରେ ମହିଳାମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଜଳାଭିଷେକ ପରେ ଯଜ୍ଞସ୍ଥଳରେ ଘଟସ୍ଥାପନ କରାଯିବା ପରେ ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ଲକ୍ଷ୍ମୀନାରାୟଣଙ୍କର ୧୦୦୮ ଆହୁତି ଓ ଗୀତାଯଜ୍ଞ ପରେ ଶୁକ୍ରବାର ଗୋଧୂଳିବେଳାରେ ପୂର୍ଣ୍ଣାହୁତି ହୋଇଯାଇଛି । ଯଜ୍ଞରେ କର୍ତ୍ତା ଭାବେ ପ୍ରଦୀପ ଦାସ ଓ ପ୍ରତିଭା ଦାସ ଆହୁତି ପ୍ରଦାନ କରିଥିବା ବେଳେ ମନ୍ଦିର ପୂଜକ ନରେନ୍ଦ୍ର ପାଣି, ସଦାନନ୍ଦ ପାଣି ଓ ନିରଞ୍ଜନ ପାଣି, ପୁରୀରୁ ରଶ୍ମିରଞ୍ଜନ ଦାଶ, ଦିଗବିଜୟ ଦାଶ ଓ ଗୟାଧର ପଣ୍ଡା ପ୍ରମୁଖ ବେଦପଣ୍ଡିତ ଯଜ୍ଞକାର୍ଯ୍ୟ ସମ୍ପନ୍ନ କରିଥିଲେ । ପୂର୍ଣ୍ଣାହୁତି ପରେ ଶହସ୍ରାଧିକ ଶ୍ରଦ୍ଧାଳୁ ଏକତ୍ର ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଲକ୍ଷ୍ମୀନାରୟଣ ମନ୍ଦିର ପରିଚାଳନା କମିଟିିର କାଳନ୍ଦି ଦାସ, କପିଳେନ୍ଦ୍ର ବାରିକ, ପୂର୍ଣ୍ଣଚନ୍ଦ୍ର ପରଡା, ରତିକାନ୍ତ ବାରିକ, ବିଦ୍ୟାଧର ଜେନା, କପିଳେନ୍ଦ୍ର ପରିଡା, ମନୋଜ ସାହୁ, ସୁଧାକର ଜେନା, କୈଳାସ ଚନ୍ଦ୍ର ବାରିକ, ରାଧାଶ୍ୟାମ ଦାସ ଓ ଶଙ୍କର୍ଷଣ ଜେନା ପ୍ରମୁଖ ଗ୍ରାମବାସୀ ପରିଚାଳନା କରିଥିଲେ । ପ୍ରକାଶ ଥାଉକି, ୧୯୨୨ ମସିହାରେ ଏଠାରେ ଲକ୍ଷ୍ମୀନାରାୟଣଙ୍କ ମୃଣୟୀ ମୂର୍ତ୍ତୀ ସ୍ଥାପନ କରାଯାଇ ପୂଜାରମ୍ଭ ହୋଇଥିଲା । ପ୍ରଥମେ ଧୂଳିଆ ଘରେ ପୂଜା ପାଳନ ହେଉଥିଲା । ପରେ ଜନସାଧାରଣଙ୍କ ଠାରୁ ମାଗଣ ତଥା ଗ୍ରାମବାସୀଙ୍କ ଆର୍ଥିକ ସହଯୋଗରେ ୨୦୦୪ ମସିହାରେ ଏଠାରେ ଲକ୍ଷ୍ମୀନାରାୟଣଙ୍କ ଏକ ବିଶାଳ ଭବ୍ୟ ମନ୍ଦିର ସ୍ଥାପନ ସହ ପାଷାଣ ମୂର୍ତ୍ତୀ ନାରାୟଣ ମହାପ୍ରଭୁ, ଦେବୀ ମହାଲକ୍ଷ୍ମୀ ଓ ମହାସରସ୍ୱତୀ ବିରାଜିତ ହୋଇଛନ୍ତି । ସେବେଠାରେ ଏଠାରେ ପ୍ରତିବର୍ଷ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇ ଆସୁଅଛି ।

