କେନ୍ଦୁଝର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିତୁ ମୁଣ୍ଡାଙ୍କ ଘଟଣାର ତଦନ୍ତ କରିଥିବା ଉତ୍ତରାଞ୍ଚଳ RDC ଙ୍କ ତଦନ୍ତକୁ ଖୋଲା ଖୋଲି ଚ୍ୟାଲେଞ୍ଜ କଲା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ ଆସୋସିଏସନ । RDCଙ୍କ ତଦନ୍ତକୁ ଦୃଢ଼ ଭାବରେ ନିନ୍ଧା କରିବା ସହ ମଲିପଶି ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜର ସୁଶାନ୍ତ କୁମାର ସେଠୀଙ୍କୁ କ୍ଲିନ ଚିଟ ଦେଲା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ ଆସୋସିଏସନ । ଏହି ଘଟଣାକୁ ନେଇ ଏବେ ଦୁଇ ପ୍ରଶାସନିକ ଗୋଷ୍ଠୀ ମଧ୍ୟରେ ଟଣା ଓଟରା ଲାଗିଥିବା ଦେଖାଯାଇଛି ।
ପ୍ରକାଶଯୋଗ୍ୟ, କେନ୍ଦୁଝର ଜିଲ୍ଲା ଡ଼ିଆନାଳୀ ଗ୍ରାମର ଜିତୁ ମୁଣ୍ଡା ବ୍ୟାଙ୍କରୁ ନିଜ ଭଉଣୀର ଜମା ଟଙ୍କା ପାଇବା ପାଇଁ ପ୍ରଚଣ୍ଡ ରୌଦ୍ର ତାପରେ ମଶାଣୀରୁ ଭଉଣୀର କଙ୍କାଳ ଖୋଳି କାନ୍ଦରେ ବୋହି ବୋହି ନେଇ ବ୍ୟାଙ୍କ ସମ୍ମୁଖରେରେ ରଖିବା ଭଳି ସମ୍ବେଦନଶୀଳ ଘଟଣା ସାରା ଦେଶ ଓ ବିଦେଶରେ ଚର୍ଚ୍ଚାର ବିଷୟ ହୋଇଛି । କେନ୍ଦୁଝର ଜିଲ୍ଲା ଘୋର ଲଜ୍ଜିତ ହେବା ସହ ଏହି ଅଘଟଣ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିବା ପରେ RDCଙ୍କ ତଦନ୍ତ ରିପୋର୍ଟ ଏବେ ବ୍ୟାଙ୍କ ଅଫିସରଙ୍କ କାର୍ଯ୍ୟ ପରେ ପ୍ରଶ୍ନବାଚୀ ଲଗାଇଛି । RDCଙ୍କ ତଦନ୍ତ ରିପୋର୍ଟ ଆସିବା ପରେ ମଲ୍ଲିପଶି ଗ୍ରାମୀଣ ବ୍ୟାଙ୍କ ସପକ୍ଷରେ ଏବେ ବାହାରିଛନ୍ତି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ ଆସୋସିଏସନ ।
ଆରଡିସିଙ୍କ ତଦନ୍ତକୁ ବିରୋଧ କରିବାକୁ ଅଣ୍ଟା ଭିଡିଛି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ ଆସୋସିଏସନ । ଆଜି ଅପରାହ୍ନ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ ଆସୋସିଏସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ୟାଙ୍କ ମ୍ୟାନେଜରଙ୍କୁ ସଂପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିବା ସହ ଆରଡିସିଙ୍କ ତଦନ୍ତକୁ ଦୃଢ଼ ଭାବରେ ନିନ୍ଦା କରିଛନ୍ତି । ଏପରିକି ଏଥିରେ ବ୍ୟାଙ୍କ ଓ ବ୍ୟାଙ୍କ ମ୍ୟାନେଜରଙ୍କର ରେପୁଟେସନ ମଧ୍ୟ ଖରାପ ହେଉଛି ବୋଲି ଅଭିଯୋଗ କରିଛି ବ୍ୟାଙ୍କ ଅଫିସର୍ସ ଆସୋସିଏସନ । ଯଦି ମଲ୍ଲୀପଶୀ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୁଏ ତେବେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ ଆସୋସିଏସନ ମ୍ୟାନେଜରଙ୍କ ସପକ୍ଷରେ ବାହାରିବ ବୋଲି ଚେତାବନୀ ଦେଇଛି ।
ହେଲେ ସାମ୍ବାଦିକମାନେ ବ୍ୟାଙ୍କ ଅଫିସର୍ସ ଆସୋସିଏସନକୁ ଏକ ପ୍ରେସ୍ ରିଲିଜ ମାଗିଥିଲେ ମଧ୍ୟ ତାହା ଦେଇନଥିଲେ ବୋଲି ଜଣାପଡିଛି । ଏପରିକି ବାଇଟ ଦେବା ସମୟରେ ଆରଡ଼ିସିଙ୍କ ତଦନ୍ତକୁ ଦୃଢ ନିନ୍ଦା କରୁଥିବା କଥା ସାମ୍ବାଦିକମାନେ ପଚାରିବାରୁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ ଆସୋସିଏସନର ସଭାପତି କେବଳ ଧନ୍ୟବାଦ କହି ସାମ୍ବାଦିକ ସମ୍ମିଳନୀ ଅଧାରୁ ଉଠି ଚାଲି ଯାଇଥିଲେ

