ଭୁବନେଶ୍ୱର : ରଗବି ପ୍ରିମିୟର ଲିଗ୍ ୨୦୨୬ ପାଇଁ କିସରୁ ମୋଟ ୯ ଜଣ ଖେଳାଳି ମନୋନୀତ ହୋଇଛନ୍ତି । ବାଳକ ବିଭାଗରେ ୫ ଜଣ ଖେଳାଳି ଚୟନ ହୋଇଥିବାବେଳେ, ବାଳିକା ବିଭାଗରେ ୪ଜଣ ଖେଳାଳି ମନୋନୀତ ହୋଇଛନ୍ତି। କିସର ଯୁଗଳ କିଶୋର ମାଝୀ ଚେନ୍ନାଇ ବୁଲ୍ସ ଦଳରେ ୧ ଲକ୍ଷ ୨୫ ହଜାର ଟଙ୍କାରେ ଯୋଗଦେଇଛନ୍ତି । ଗଣେଶ ଧଙ୍ଗଡା ମାଝୀ ବେଙ୍ଗାଳୁରୁ ବ୍ରେଭହାର୍ଟସ୍ ପାଇଁ ୯୦ ହଜାର ଟଙ୍କାରେ ମନୋନୀତ ହୋଇଛନ୍ତି । ସେହିପରି ଆଶିଷ ଶବର ମୁମ୍ବାଇ ଡ୍ରିମର୍ସ ଓ ସଞ୍ଜୟ କିସାନ୍ କୋଲକାତା ବଙ୍ଗା ଟାଇଗର୍ସ ପାଇଁ ୫୦ ହଜାର ଟଙ୍କାରେ ଖେଳିବେ ।
ମହିଳା ବିଭାଗରେ ମଧ୍ୟ କିସ୍ ର ଖେଳାଳିମାନେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି । ନିର୍ମାଲ୍ୟା ରାଉତ କୋଲକାତା ବଙ୍ଗା ଟାଇଗର୍ସ ପାଇଁ ସର୍ବାଧିକ ୧ ଲକ୍ଷ ୬୦ ହଜାର ଟଙ୍କାରେ ଚୟନ ହୋଇଛନ୍ତି । ତାରୁଲତା ନାୟକ ଚେନ୍ନାଇ ବୁଲ୍ସ ପାଇଁ ୮୦ ହଜାର ଟଙ୍କାରେ ଯୋଗ ଦେଇଥିବାବେଳେ, ଡୁମୁନି ମାର୍ଣ୍ଡି ଦିଲ୍ଲୀ ରେଡ୍ଜ୍ ପାଇଁ ୬୦ ହଜାର ଟଙ୍କାରେ ଓ ହୁପି ମାଝୀ ଓ ମାମା ନାୟକ ମୁମ୍ବାଇ ଡ୍ରିମର୍ସ ପାଇଁ ୫୦ ହଜାର ଟଙ୍କାରେ ଖେଳିବେ। ଏହି ଲିଗ୍ ଆସନ୍ତା ଜୁନ୍ ୧୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଗାଚିବୋୱ୍ଲି ଷ୍ଟାଡିୟମ୍ ରେ ଆୟୋଜିତ ହେବ।
ଦେଶର ଶ୍ରେଷ୍ଠ ଖେଳାଳିଙ୍କ ସହ କିସ୍ ର ଏହି ଯୁବ ପ୍ରତିଭାମାନେ ଖେଳିବାକୁ ପ୍ରସ୍ତୁତ। ଏହା କେବଳ ଚୟନ ନୁହେଁ, ବରଂ କିସ୍ ର ଦୀର୍ଘଦିନର ପରିଶ୍ରମ, ପ୍ରଶିକ୍ଷଣ ଓ ପ୍ରତିଭାର ସଫଳ ପରିଣାମ। ଆଦିବାସୀ ଯୁବମାନଙ୍କୁ ଜାତୀୟ ମଞ୍ଚରେ ନେଇଯିବା ପାଇଁ କିସ୍ ପକ୍ଷରୁ ବିଦେଶୀ ପ୍ରଶିକ୍ଷକଙ୍କୁ ଆଣି ପ୍ରଶିକ୍ଷଣ ଦିଆଯାଉଛି। ଗାଁରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଯାତ୍ରା କରି ଆଜି ଏହି ଖେଳାଳିମାନେ ଜାତୀୟ ମଞ୍ଚରେ ନିଜ ନାମ କମାଇଛନ୍ତି। କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ ଏହା ସମ୍ଭବ ହୋଇପାରିଛି। ଏହି ଖେଳାଳିମାନେ ଆଜି ଡକ୍ଟର ସାମନ୍ତଙ୍କୁ ସାକ୍ଷାତ କରି ଆଶୀର୍ବାଦ ନେଇଥିଲେ। ଡକ୍ଟର ସାମନ୍ତ ସେମାନଙ୍କ ସଫଳତାରେ ଖୁସି ବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।

