ତିହିଡି- ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଥାନା ଅନ୍ତର୍ଗତ ଚାରିତରଫପୁର ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ରକରି ଗୃହ ଭଙ୍ଗା ସହ ସଙ୍ଘବଦ୍ଧ ଆକ୍ରମଣ କରା ଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସର ଭୂମିକା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ଅଭିଯୋଗକାରିଣୀ ଅନୀତା ବଳ। ଗତ ୨୩ ତାରିଖରେ ଘରେ କୌଣସି ପୁରୁଷ ସଦସ୍ୟ ନଥିବାର ସୁଯୋଗ ନେଇ ଅପର ପକ୍ଷ ଜୟନ୍ତ ବଳ, ପୁରୁଷୋତ୍ତମ ବଳ ଓ ପ୍ରଶାନ୍ତ ବଳଙ୍କ ସମେତ ଆଉ କିଛି ଗୁଣ୍ଡା ଶ୍ରେଣୀୟ ଯୁବକ ଜୋର ଜବରଦସ୍ତ ଶାବଳ ଭଳି ମାରଣାସ୍ତ୍ର ଧରି ତାଙ୍କର ଘରକୁ ଜବରଦସ୍ତ ଭାଙ୍ଗି ଦେଇଥିଲେ। ଏହି ଘଟଣାରେ ପ୍ରତିବାଦ କରିବାରୁ ଅନୀତା ବଳଙ୍କୁ ମାଡ଼ ମାରିବା ସହ ପିନ୍ଧିଥିବା ଏକ ସୁନା ଚେନକୁ ଛିଡାଇ ନେଇ ଯାଇଥିଲେ। ଏନେଇ ଅନୀତା ବଳ ଏବଂ ପରିବାର ପୀରହାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି ଚାପର ବଶବର୍ତ୍ତୀ ହୋଇ ମାମଲା ରୁଜୁ ନ କରିବା ସହ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛନ୍ତି ଅନୀତା। ସୂଚନା ଅନୁଯାଇ, ତିହିଡି ବ୍ଲକ ରାଜନଗର ପଞ୍ଚାୟତ ବାହାରପାଳ ମୌଜାର ଏକ ପ୍ଲଟକୁ ନେଇ ପୂର୍ବରୁ ଉଭୟ ପକ୍ଷଙ୍କ ମଧ୍ୟରେ ଝଗଡା ହୋଇ ଆସୁଥିଲା l କୋର୍ଟରେ ମାମଲା ଚାଲୁ ରହିଥିବା ବେଳେ ଅପରପକ୍ଷ ଏଭଳି ଜଘନ୍ଯ କାଣ୍ଡ କରିଛନ୍ତି। ଆକ୍ରମଣ ଏବଂ ଘର ଭାଙ୍ଗି ଦେବା ଘଟଣାରେ ଭୟଭୀତ ଅବସ୍ଥାରେ ରହିଛନ୍ତି ଅନୀତାଙ୍କ ପରିବାର। ସୁରକ୍ଷା ଏବଂ ନ୍ୟାୟ ପାଇବା ପାଇଁ ପୋଲିସ ନିକଟକୁ ବାରମ୍ବାର ଦୌଡୁଥିବା ବେଳେ ପୋଲିସର ଭୂମିକା ରହୁନଥିବା ବଡ ପରିତାପର ବିଷୟ ସାଜିଛି।

