ବାଲେଶ୍ୱର ସଦର ମହକୁମାରୁ କଷାଫଳ ପଂଚାୟତକୁ ସିଧାସଳଖ ଯୋଗାଯୋଗ ପାଇଁ ଡୁବୁଡୁବି ନଦୀ ଉପରେ ଦୀର୍ଘ ଦିନରୁ ନିର୍ମାଣାଧିନ ପୋଲ କାର୍ଯ୍ୟ ଆପାତତଃ ପୂର୍ଣ୍ଣାଙ୍ଗ ରୂପ ନେବାକୁ ଯାଉଛି । ଠିକାଦାର ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଉଦାସୀନତା ପାଇଁ ଏହି ପୋଲ ନିର୍ମାଣରେ ଅହେତୁକ ବିଳମ୍ବ ହେଉଥିବା କାରଣରୁ ରାଜ୍ୟ ସରକାର ନିର୍ମାଣକାରୀ ସଂସ୍ଥାକୁ କଳା ତାଲିକାଭୁକ୍ତ କରିଥିଲେ । ମାତ୍ର ପୋଲ ନିର୍ମାଣ କେବେ ସମ୍ପୂର୍ଣ୍ଣ ହେବ ତାହା ଏକ ପ୍ରଶ୍ନବାଚୀ ହୋଇଥିବା ବେଳେ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ଏହା ଉପରେ ପୂର୍ଣ୍ଣ ବିରାମ ଲଗାଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିଯୁକ୍ତ ହୋଇଥିବା ନୂଆ ଠିକାଦାର ସଂସ୍ଥାକୁ ସଦର ବିଧାୟକ ଶ୍ରୀ ଦତ୍ତ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି । ଏ ନେଇ ଡୁବୁଡୁବି ନଦୀର ସାହୁଘାଟ ଠାରେ ପହଂଚି ବିଧାୟକ ଶ୍ରୀ ଦତ୍ତ ଅସମ୍ପୂର୍ଣ୍ଣ ପୋଲର ସ୍ଥିତି ଅନୁଧ୍ୟାନ ସହ ଯୋଜନାବଦ୍ଧ ଭାବେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଅଧାପନ୍ତରିଆ ହୋଇ ପଡିରହିଥିବା ପୋଲର ନିର୍ମାଣ କାର୍ଯ୍ୟ ସାରିବାକୁ ଠିକାଦାର ସଂସ୍ଥା ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲା ସଦର ମହକୁମାରୁ କଷାଫଳ ପଂଚାୟତକୁ ଦୁରତ୍ୱ ପାଖାପାଖ ୬୦ କିଲୋମିଟର । ଏହି ଦୁରତାକୁ ପାଖାପାଖି ୩୦ କିଲୋମିଟର କମାଇବା ପାଇଁ ସାର୍ଥା ଓ କଷାଫଳ ପଂଚାୟତ ମଧ୍ୟରେ ଗମନାଗମନ ବ୍ୟବସ୍ଥାରେ ବାଧକ ସାଜିଥିବା ଡୁବୁଡୁବି ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ଦାବୀକୁ ଦୃଷ୍ଟିରେ ରଖି ପ୍ରାଥମିକ ଅବସ୍ଥାରେ ୫କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ୭ବର୍ଷ ତଳୁ ଆରମ୍ଭ ହୋଇଥିବା ୧୦୦ଫୁଟ ଲମ୍ବର ପୋଲ ନିର୍ମାଣ କାର୍ଯ୍ୟରେ ଦୁଇ ଦୁଇ ଜଣ ଠିକାଦାର ନିୟୋଜିତ ହୋଇଥିଲେ ବି ନଦୀର ଦୁଇ ପାଖରେ କେବଳ ଦୁଇଟି ପିଲର ନିର୍ମାଣ କାର୍ଯ୍ୟ ବି ସମ୍ପୂର୍ଣ୍ଣ ହୋଇପାରିନଥିଲା ।

ଶ୍ରୀ ଦତ୍ତ ସଦର ବିଧାୟକ ଭାବେ ନିର୍ବାଚିତ ହେବା ପରେ ସାହୁଘାଟ ଠାରେ ନିର୍ମାଣସ୍ଥଳୀ ପରିଦର୍ଶନ ସହ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଯଥା ପୂର୍ବଂ ତଥା ପରଂ ସ୍ଥିତିରେ ଅସମ୍ପୂର୍ଣ୍ଣ ପୋଲ ଲୋକଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରି ପକାଇଥିଲା । ଫଳରେ ପୋଲ ନିର୍ମାଣରେ ଉଦାସୀନତା ପ୍ରଦର୍ଶନ କରୁଥିବା ଠିକାସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସଦର ବିଧାୟକ ଶ୍ରୀ ଦତ୍ତ ଶେଷରେ ବିଧାନସଭାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି କ୍ରମରେ ପୋଲ ନିର୍ମାଣକାରୀ ଠିକା ସଂସ୍ଥାକୁ ବିଭିନ୍ନ ସମୟରେ କାରଣ ଦର୍ଶାଅ ନୋଟିସ ଜାରି ସହ ଚୁକ୍ତିନାମାକୁ ୨ ଥର ରଦ୍ଦ କରାଯାଇଥିବା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ ବିଧାନସଭାରେ ଦର୍ଶାଇଥିଲେ । ତେବେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ସମ୍ପୃକ୍ତ ଠିକାସଂସ୍ଥା ପୁର୍ନବାର ନିର୍ମାଣ ପାଇଁ ଅନୁମତି ପାଇଥିଲେ ବି ନିର୍ମାଣ କାର୍ଯ୍ୟକୁ ବିଳମ୍ବିତ କରିବା ଅଭିଯୋଗରେ ଠିକାସଂସ୍ଥାର ଚୁକ୍ତିନାମାକୁ ୨୦୨୫ ମସିହା ନଭେମ୍ବର ୧୩ ତାରିଖରେ ରଦ୍ଦ କରାଯାଇଥିଲା । ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସକ୍ରିୟ ହୋଇ ଡୁବଡୁବି ନଦୀ ପୋଲର ବଳକା କାର୍ଯ୍ୟକୁ ଅନ୍ୟ ଏକ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ସମ୍ପୂର୍ଣ୍ଣ କରିବା ନିମନ୍ତେ ଠିକାଦାର ସଂସ୍ଥା ଚୟନ କରିଛି । ସଦର ବିଧାୟକ ଶ୍ରୀ ଦତ୍ତଙ୍କ ତ୍ୱରିତ ଓ ସମୟାନୁପେଯାଗୀ ପଦକ୍ଷେପ ଯୋଗୁଁ ଆଗାମୀ ଦିନରେ ଏହି ପୋଲ ନିର୍ମାଣ ସମ୍ପୂର୍ଣ୍ଣ ହେବ ବୋଲି ସ୍ଥାନୀୟ ଅଂଚଳବାସୀ ଆଶା ବାନ୍ଧିଛନ୍ତି ।

