ନୂଆଦିଲ୍ଲୀ : ଇଣ୍ଡିଗୋ ବିମାନର ଟଏଲେଟରେ ‘ଡେନଜର’ଲେଖା ହୋଇଥିବା ଏକ ଟିସୁ ମିଳିଛି । ଏହି ଘଟଣା ମୁମ୍ବାଇର ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଇଣ୍ଡିଗୋର ଫ୍ଲାଇଟ୍ ୯୧୧ ଯାତ୍ରା ପାଇଁ ପ୍ରସ୍ତୁତି ହେଉଥିଲାବେଳେ ଏହି ଘଟଣା ସାମ୍ନାକୁ ଆସିଛି । ଫଳରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ।
ସୂଚନାନୁଯାୟୀ, ଏୟାରପୋର୍ଟର ଗେଟ୍ ୫ ନମ୍ବରରେ ବିମାନ ଥିଲାବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗ ଏବଂ ମୁମ୍ବାଇ କଣ୍ଟ୍ରୋଲ ରୁମକୁ ବିମାନରେ ବୋମା ଥିବା ଆଶଙ୍କା ରହିଛି ବୋଲି ସୂଚନା ଦିଆଯାଇଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ଦ୍ବାରା ତଦନ୍ତ ପରେ ବିମାନରେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳି ନଥିଲା ବୋଲି ଜଣାପଡିଥିଲା ।
ଏହା ପୂର୍ବରୁ ୨୯ ମାର୍ଚ୍ଚରେ ଇଣ୍ଡିଗୋ ବିମାନର ଜଣେ ଯାତ୍ରୀ ଲ୍ୟାଣ୍ଠିଂ ପୂର୍ବରୁ ଜରୁରୀକାଳୀନ ଗେଟ୍ ଖୋଲିବାକୁ ଚେଷ୍ଟା କରିଥିଲେ । ବିମାନଟି ବେଙ୍ଗାଲୁରୁରୁ ବାରଣାସୀ ଅଭିମୁଖେ ଯାତ୍ରା କରୁଥିଲାବେଳେ ଅବତରଣ କରିବାକୁ ଉଦ୍ୟମ କରିଥିଲେ। ଏପରି ସ୍ଥିତିକୁ ଦୃଷ୍ଟିରେ ରଖି ପାଇଲଟ୍ ବିମାନଟିକୁ ଲ୍ୟାଣ୍ଠିଂ ନକରି ପୁଣି ବିମାନକୁ ଆକାଶରେ ବୁଲାଇଥିଲେ । ଫଳରେ ଅଳ୍ପକେ ବିପଦ ଟଳିଯାଇଥିଲା । ଅବତରଣ ପରେ ଅଭିଯୁକ୍ତଙ୍କୁ ସୁରକ୍ଷା ଏଜେନ୍ସିକୁ ହସ୍ତାନ୍ତର କରାଯାଇଥିଲା । ପ୍ରଥମେ ଏୟାରଲାଇନ୍ସର ସୁରକ୍ଷା ଟିମ୍ ଏବଂ CISF ତାଙ୍କୁ ଅଟକ ରଖିଥିଲେ । ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ଜରୁରୀକାଳୀନ ବଟନ୍ ଦବାଇଲେ ଗେଟ୍ ଖୋଲିପାରେ ବୋଲି ସେ ଦାବି କରିଥିଲେ । ତାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

