ଭୁଵନେଶ୍ୱର : ବନ୍ଦେ ଉତ୍କଳ ଜନନୀ… ଚାରୁ ହାସମୟୀ ଚାରୁ ଭାଷମୟୀ, ଜନନୀ ଜନନୀ ଜନନୀ…ବନ୍ଦେ ଉତ୍କଳ ଜନନୀ…।’ ସତରେ..ନିଜକୁ ଓଡ଼ିଆ ବୋଲି କହିବାକୁ ବହୁତ ଗର୍ବ ଅନୁଭବ ହୁଏ । କାରଣ ପୁଣ୍ୟ ଭୂମି ଓଡ଼ିଶା ବୁକୁରେ ସନ୍ତାନଟିଏ ହୋଇ ଆମେ ଜନ୍ମ ନେଇଛେ, ଯାହାର ଏକ ଗୌରବମୟ ଇତିହାସ ରହିଛି ।
ସେହିପରି ଓଡ଼ିଶା ଦିବସ ଉପଲକ୍ଷେ ଓଡ଼ିଶାବାସୀ ଭାଇଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । ସାମଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ କହିଛନ୍ତି, ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ସୁପ୍ରାଚୀନ ପରମ୍ପରା ତଥା ଓଡ଼ିଶାବାସୀଙ୍କ ଧୈର୍ଯ୍ୟ ଓ ସହନଶୀଳତାର ସ୍ୱାକ୍ଷର ବହନ କରେ ଏହି ଦିବସ । ଦେଶର ସ୍ୱାଧୀନତା ସଂଗ୍ରାମ ଏବଂ ରାଷ୍ଟ୍ରଗଠନରେ ଓଡ଼ିଶାର ଅମୂଲ୍ୟ ଯୋଗଦାନ ଆମ ସମସ୍ତଙ୍କୁ ସବୁବେଳେ ପ୍ରେରଣା ଦେଇଆସିଛି । ବିକଶିତ ଭାରତ ନିର୍ମାଣରେ କୁଶଳ ଏବଂ କର୍ମଠ ଓଡ଼ିଶାବାସୀଙ୍କ ଭୂମିକା ବେଶ୍ ଉଲ୍ଲେଖନୀୟ । ଆଜିର ଏହି ଶୁଭ ଅବସରରେ ଓଡ଼ିଶାବାସୀଙ୍କ ସୁଖ-ସମୃଦ୍ଧି ଓ ମଙ୍ଗଳ ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଅଛି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି । ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର ବରପୁତ୍ରମାନେ ଅଲିଭା ସ୍ବାକ୍ଷର ଛାଡ଼ି ଯାଇଛନ୍ତି । ବିଜୁବାବୁଙ୍କ ଭଳି ମହାନ ବ୍ୟକ୍ତିତ୍ବ ଏହି ମାଟିରେ ଜନ୍ମ ନେଇଥିଲେ । ତାଙ୍କ ଜୀବନ ଅସାଧାରଣ ଶକ୍ତି ଓ ସାହସର ପ୍ରତୀକ । ଦେଶ ଗଠନ ପାଇଁ ଅତୁଟ ସମର୍ପଣର ପ୍ରତୀକ ହେଉଛନ୍ତି ବିଜୁ ବାବୁ। ବିଜୁ ବାବୁଙ୍କ ବହୁମୁଖୀ ବ୍ୟକ୍ତିତ୍ବ ଆମ ସମସ୍ତଙ୍କୁ ଅନୁପ୍ରାଣିତ କରିଥାଏ । ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରିବାକୁ ସରକାରଙ୍କ ପ୍ରୟାସକୁ ମୋଦି ପ୍ରଶଂସା କରିଛନ୍ତି । ଓଡ଼ିଶାର ପ୍ରଗତି ପାଇଁ ସାମୂହିକ ଭାବେ ଚିନ୍ତନ କରିବାର ଆବଶ୍ୟକତା ରହିଛି । ବିକଶିତ ଓଡ଼ିଶା ହାସଲ ଦିଗରେ ଭାରତ ସରକାର ଓଡ଼ିଶା ସହ ଛିଡ଼ା ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

