ତିହିଡି, ୩୧.୦୩: ଅଧିକ ଭଡାନେଇ ଲୁଟୁଥିଲେ ଘରୋଇ ଯାତ୍ରୀବାହି ବସ । ବାରମ୍ବାର ଅଭିଯୋଗ ପରେ ଶୁଣୁନଥିଲେ ବସ ମାଲିକ ସଂଘ ଏବଂ ଆରଟିଓଙ୍କ ତାଗିଦ ମଧ୍ୟ କାଟୁ ଖାଉନଥିଲା । ଶେଷରେ ମଙ୍ଗଳବାର ସକାଳ ୬ ଘଟିକାରେ ତିହିଡି ଜନସାଧାରଣ ମଞ୍ଚ ପକ୍ଷରୁ ପୁରୁଣାହାଟରେ ବସରୋକ କରାଯାଇଥିଲା । ଶେଷରେ ଆଜି ସତ କଣ ଜଣା ପଡିଲା । ଖୋଦ୍ ଭଦ୍ରକ ଆରଟିଓ ଶୁଭେନ୍ଦୁ ରଞ୍ଜନ ରାୟ କ୍ଷେତ୍ରୀୟ ତଦନ୍ତରେ ଆସିଥିଲେ । ଯାତ୍ରୀମାନଙ୍କୁ ପଚରା ଉଚୁରା ପରେ ଅଧିକ ଭଡା ନିଆଯାଉଥିବାର ପ୍ରମାଣ ପାଇଲେ । ଆଗାମି ଦିନରେ ଯାତ୍ରୀଙ୍କ ପାଖରୁ ଅଧିକ ଭଡା ନେଲେ ବସର ପରମିଟ ବାତିଲ କରାଯିବା ସହ କଣ୍ଡକ୍ଟରଙ୍କ ବିରୋଧରେ ଆଇନ୍ଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାବନି ଦେଇଥିଲେ । ସୂଚନା ମୁତାବକ, ଭଦ୍ରକ-ଚାନ୍ଦବାଲି ରାଜପଥରେ ଚଳାଚଳ କରୁଥିବା ସମସ୍ତ ଯାତ୍ରୀବାହି ବସଗୁଡିକ ସରକାରଙ୍କ ନିର୍ଦ୍ଧାରିତ ଭଡା ଠାରୁ ପ୍ରାୟ ଦେଢଗୁଣା ଅଥବା ଦୁଇଗୁଣା ଭଡା ନେଉଛନ୍ତି । ଏପରିକି ପ୍ରତିବାଦ କଲେ ଯାତ୍ରିମାନଙ୍କୁ ଦୁର୍ବ୍ୟବହାର କରାଯାଉଛି । ଉଦ୍ଦେଶ୍ୟ ମୂଳକଭାବେ ବସରେ ରେଟ୍ ଚାର୍ଟ ଲଗା ଯାଉନାହିଁ । ଫାଷ୍ଟଏଡ୍ କିଟ୍ ମଧ୍ୟ ଉପଲବ୍ଧ ହେଉନାହିଁ । ଯାହାକୁ ସିପିଏମ ଆଞ୍ଚଳିକ କମିଟି ପକ୍ଷରୁ ତିହିଡି଼ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କ ନିକଟରେ ୨ଥର ଅଭିଯୋଗ କରାଯାଇଥିଲା । ମାତ୍ର କୌଣସି ସୁଫଳ ନମିଳିବାରୁ ଶେଷରେ ଗତ ମାର୍ଚ୍ଚ ମାସ ୨୪ ତାରିଖରେ ବସରୋକ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଥିଲା । ଯାହାକୁ ନେଇ ଗତ ୨୩ ତାରିଖରେ ତିହିଡି ଆଇଆଇସିଙ୍କ ଉପସ୍ଥିତିରେ ଥାନାରେ ଏକ ବୈଠକ ବସିଥିଲା । ସିପିଏମ ନେତା ଓ ବସ ସଣ୍ଡିକେଟର କର୍ମକର୍ତ୍ତାମାନଙ୍କ ମଧ୍ୟରେ ଆଲୋଚନା ହେବାପରେ ଦାବି ପୂରଣ କରାଯିବ ବୋଲି ମିଳିଥିଲା ପ୍ରତିଶୃତି । ମାତ୍ର ଉକ୍ତ ପ୍ରତିଶୃତି ପାଣିରେ ଗାର ସଦୃଶ ହେଲା । ଶେଷରେ ବାଧ୍ୟହୋଇ ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ୩୧ ତାରିଖରେ ବସରୋକ ଆନ୍ଦୋଳନ କରିବ ବୋଲି ଚେତାବନି ଦେବା ସହ ସକାଳୁ ତାହା ଆରମ୍ଭ କରିଥିଲା । ଉକ୍ତ ବସରୋକ ଆନ୍ଦୋଳନରେ ବିଷ୍ଣୁ ଦାଶ, ସତ୍ୟବ୍ରତ କୁଣ୍ଡ, ମଳୟ ଭୋଇ, ନିର୍ମଳ ଦଳେଇ, ଭାଗବତ ସେନାପତି, ମନମୋହନ କୁଣ୍ଡ, କୃଷ୍ଣଚନ୍ଦ୍ର ମଲିକ, ବାବୁରାମ ମଲିକ, ବିଜୟ ମଲିକ, ଲକ୍ଷୀ୍ମଧର ଦାସ, ତଉଲି ମଳିକ, ମଧୁସୂଦନ କୁଣ୍ଡ, ପୁରସ୍ତମ ସାହୁ, ଅଭିମନ୍ୟୁ ବହଳି, ପାଗଳ ଦାସ, ଅକ୍ଷୟ ସାହୁ, ସୁବାସ ଦାସ, ମୁକ୍ତିକାନ୍ତ ଭଳ ଓ ଗଜେନ୍ଦ୍ର ବେହେରା ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ଏତାଦୃଶ କାର୍ଯ୍ୟକୁ ବିଭିନ୍ନ ମହଲରେ ସାଧୁବାଦ ମିଳିଥିବା ବେଶ ଜଣା ଯାଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

