ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିବା ପାଇଁ ଟ୍ରମ୍ପ ପ୍ରଶାସନର ୧୫-ପଏଣ୍ଟ ଶାନ୍ତି ଯୋଜନା । ଇରାନ ପାଇଁ ଟ୍ରମ୍ପଙ୍କ ‘୧୫-ପଏଣ୍ଟ’ ଶାନ୍ତି ପ୍ରସ୍ତାବ । ଯୁଦ୍ଧ ବନ୍ଦ ପାଇଁ ପାକିସ୍ତାନ ଜରିଆରେ ପଠାଗଲା ଚିଠା । ଇରାନ ପାଇଁ ମାସକର ସମୟ । ପରମାଣୁ ଅସ୍ତ୍ର ଛାଡ଼ିଲେ ମିଳିବ ମୁକ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ମାସ ପାଇଁ ଯୁଦ୍ଧ ବିରତି କରିବାକୁ ଏବଂ ୧୫ଟି ସର୍ତ୍ତ ଉପରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି । ପାକିସ୍ତାନ ମାଧ୍ୟମରେ ଏହି ପ୍ରସ୍ତାବ ତେହେରାନ ପାଖକୁ ପଠାଯାଇଛି ।ଇରାନ ପାଇଁ ମୁଖ୍ୟ ସର୍ତ୍ତଗୁଡ଼ିକ ମଧ୍ୟରେ ରହିଛି ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବା । ଇରାନ ନିଜର ସମସ୍ତ ପରମାଣୁ କ୍ଷମତାକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିବ ଏବଂ ଭବିଷ୍ୟତରେ କେବେ ବି ପରମାଣୁ ବୋମା ତିଆରି କରିବ ନାହିଁ । ଇରାନ ପାଖରେ ଥିବା ପ୍ରାୟ ୪୫୦ କିଲୋଗ୍ରାମର ସମୃଦ୍ଧ ୟୁରାନିୟମ ଜାତିସଂଘର ପରମାଣୁ ସଂସ୍ଥା IAEA କୁ ହସ୍ତାନ୍ତର କରିବ । ଇରାନର ମିସାଇଲ୍ କ୍ଷମତା ଏବଂ ଏହାର ଦୂରତା ଉପରେ ସୀମା ଧାର୍ଯ୍ୟ କରାଯିବ। ହିଜବୁଲ୍ଲା ଏବଂ ହାମାସ ଭଳି ସଂଗଠନକୁ ଇରାନ ଆଉ ଅସ୍ତ୍ରଶସ୍ତ୍ର କିମ୍ବା ଟଙ୍କା ଦେବନାହିଁ । ‘ହରମୁଜ ପ୍ରଣାଳୀ’ ଦେଇ ବାଣିଜ୍ୟିକ ଜାହାଜ ଚଳାଚଳକୁ ଇରାନ କେବେ ବି ବାଧା ଦେବନାହିଁ ।

