ତିହିଡି, ୨୧.୦୩: ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବିଭିନ୍ନ ସ୍ଥାନରେ ମହା ଆଡମ୍ବରରେ ଇଦ୍ ପର୍ବ ପାଳିତ ହୋଇଯାଇଛି । ମୁସଲମାନ ସଂପ୍ରଦାୟର ବ୍ୟକ୍ତିମାନେ ରମାଜନ୍ ମାସ ସକାଳରୁ ସଂଧ୍ୟା ପର୍ଯ୍ୟନ୍ତ ଉପବାସ ରହିବା ପରେ ଚଳିତ ମାସ ୨୧ ତାରିଖ ଶନିବାରରେ ଇଦ୍ ପର୍ବ ପାଳନ କରିଛନ୍ତି । ଏହାକୁ ଉପବାସ ଭଙ୍ଗ ପର୍ବ ଏବଂ ଇଦ୍-ଉଲ୍-ଫିତର ମଧ୍ୟ କୁହାଯାଏ । ଭାଇଚାରାର ଏକ ନିଚ୍ଛକ ନମୂନା ଏହି ଇଦ୍ ପର୍ବର ମିଳନରୁ ଜଣାଯାଏ । ଭୋଜି, ଦାନ, ଧର୍ମ, ନୂଆ ପୋଷାକ ପରିବେଷଣ, ମସ୍ଜିଦ୍ରେ ନମାଜ ପଢିବା, ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କରିବା ଆଦି ବିଭିନ୍ନ ଢଙ୍ଗଢାଙ୍ଗରେ ପାଳନ କରିଥାନ୍ତି । ବିଶ୍ୱର ମଙ୍ଗଳ କାମନା ଉଦ୍ଦେଶ୍ୟରେ ଏହି ପର୍ବ ପାଳିତ ହୋଇଥାଏ । ପୂର୍ବ ରାଗ, ରୋଷକୁ ଭୁଲିଯାଇ ପରସ୍ପର ମଧ୍ୟରେ କାନ୍ଧକୁ କାନ୍ଧ ମିଳାଇ ମୁସାଫା କରିଥାନ୍ତି ଓ ଲଘୁଜନମାନେ ଗୁରୁଜନଙ୍କୁ ସଲାମ୍ କରିଥାନ୍ତି । ପୂର୍ବାହ୍ନରେ ମସଜିଦ୍ରେ ନମାଜ ସାରିବା ପରେ ଦରିଦ୍ର ଓ ଅସହାୟମାନଙ୍କୁ ଦାନ କରାଯାଇଥାଏ । ଖୁସିର ଦିବସ ହେଉଛି ଏହି ପର୍ବ । ନୂଆ ବସ୍ତ୍ର ପରିଧାନ ପୂର୍ବକ ଲଚ୍ଛା, ସିମେଇ, ପୋଲାଉ ପରିବେଷଣ କରି ପରସ୍ପର ବଣ୍ଟନ କରିଥାନ୍ତି । ସିନ୍ଦାଳ ପଞ୍ଚାୟତ ଅଧିନ ଇନ୍ଦିରା ମିସକିନ ନଗର ପୀରିସକିନ୍ବାବାଙ୍କ ମଜ୍ଜାରରେ ଧୂମଧାମରେ ଏହି ଇଦ୍ ପର୍ବ ପାଳିତ ହୋଇ ଯାଇଛି । ମୌଲାନା ଦିଲସାଦ ରଜା ରହିମାଜି କୋରାନ ପାଠ କରିଥିବା ବେଳେ ସୟଦ୍ ଇବ୍ରାହିମ, ନ୍ୟାଜୁଦ୍ଦିନ, ସେକ୍ ଆଇମଦ, ଅନିଲ ଖାଁ, ସମୃଲ ହୋଦା, ଗୋରାବାବୁ ସାହା, ବଙ୍ଗାଳି ସାହା, ସେକ୍ ନୁର ମହମ୍ମଦ, କମୁରୁଦ୍ଦିନ ସାହା, ସୟଦ୍ ନିଜାମ, କାଦର ଖାଁ, ରହିମଦ ଖାଁ, ସେକ୍ ଫିରୋଜ, ମୋକିମ ଖାଁ ପ୍ରମୁଖ ଶତାଧିକ ଯୋଗ ଦେଇଥିଲେ । ଆମନ୍ତ୍ରିତ ଅତିଥିଭାବେ ସିନ୍ଦୋଳ ପଞ୍ଚାୟତ ସରପଞ୍ଚ ସୁପ୍ରଭା ପାଣି ଯୋଗଦେଇ ମଜ୍ଜାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ସମସ୍ତଙ୍କୁ ମିଷ୍ଠାନ ବଣ୍ଟନ କରି ଭାଇଚାରାର ସମ୍ପର୍କ ବଜାୟ ରଖିଥିଲେ । ଏହି ପର୍ବ ଉଭୟ ହିନ୍ଦୁ ଓ ମୁସଲମାନ୍ ସଂପ୍ରଦାୟ ମଧ୍ୟରେ ଏକ ଭାଇଚାରାର ସମ୍ପର୍କ ସୃଷ୍ଟି କରିଛି ।

