ବେଙ୍ଗାଳୁରୁ : ସାରା ଦେଶରେ ଏଲପିଜି ଟେନସନ୍ । ଆଜିଠାରୁ ବେଙ୍ଗାଳୁରୁରେ ବନ୍ଦ ରହିବ ହୋଟେଲ । ହୋଟେଲ ଆସୋସିଏସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପ୍ରଭାବିତ ହେବେ ହଜାର ହଜାର ଲୋକ । ପଶ୍ଚିମ ଏସିଆରେ ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ଯୁଦ୍ଧ ଯୋଗୁଁ ବିଶ୍ୱ ଶକ୍ତି ବଜାର ଅସ୍ଥିରତାର ସମ୍ମୁଖୀନ ହେଉଥିବାରୁ ଏହି ବାଧା ସୃଷ୍ଟି ହୋଇଛି। ଆସୋସିଏସନ ଅନୁଯାୟୀ ତୈଳ କମ୍ପାନୀଗୁଡ଼ିକ ପୂର୍ବରୁ ସୂଚାଇ ଦେଇଥିଲେ ଯେ, ୭୦ ଦିନ ପାଇଁ ଏଲପିଜି ଯୋଗାଣରେ କୌଣସି ବାଧା ସୃଷ୍ଟି ହେବ ନାହିଁ। ତେଣୁ ହଠାତ୍ ବନ୍ଦ ହେବା ହୋଟେଲ ଶିଳ୍ପ ପାଇଁ ଏକ ଝଟକା ପାଲଟିଛି ।
ସୂଚନାନୁଯାୟୀ, ଯଦି ଗ୍ୟାସ୍ ଯୋଗାଣ ନହୁଏ ତେବେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଗୋଟିଏ ପରେ ଗୋଟିଏ ବନ୍ଦ ହେବା ଆରମ୍ଭ ହେବ ବୋଲି ବେଙ୍ଗାଳୁରୁ ହୋଟେଲ ଆସୋସିଏସନର ସଭାପତି କହିଥିଲେ । ସିଲିଣ୍ଡର ଯୋଗାଣରେ ବାଧାପ୍ରାପ୍ତ ହେବାରୁ ହୋଟେଲ ଅପରେଟରଙ୍କ ପାଖରେ ବ୍ୟବସାୟ ବନ୍ଦ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ଯାହା ଦ୍ବାରା ସହରକୁ ଯାତାୟାତ କରୁଥିବା ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେବେ ।
ଏହାରି ମଧ୍ୟରେ ଏଲପିଜି ସିଲିଣ୍ଡରର କଳାବଜାରୀକୁ ରୋକିବା ପାଇଁ ସରକାର ବୁକିଂ ସମୟକୁ ୨୧ରୁ ୨୫ ଦିନକୁ ବୃଦ୍ଧି କରିଛନ୍ତି । ସରକାର ରିଫାଇନାରୀମାନଙ୍କ ଏଲପିଜି ପ୍ରଡକ୍ସନଗୁଡିକ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ସରକାର କମ୍ପାନୀଗୁଡିକୁ ବାଣିଜ୍ୟିକ ଗ୍ୟାସ୍ ସଂଯୋଗ ଅପେକ୍ଷା ଘରୋଇ ଏଲପିଜି ସଂଯୋଗକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଲଜେରିଆ, ଅଷ୍ଟ୍ରେଲିଆ, କାନାଡା ଏବଂ ନରୱେ ସମେତ ଅନେକ ଦେଶ ଏଲପିଜି ଗ୍ୟାସ୍ ବିକ୍ରି କରିବା ପାଇଁ ଭାରତ ସହିତ ଯୋଗାଯୋଗ କରିଛନ୍ତି ।

