ପାକିସ୍ତାନ : ପାକିସ୍ତାନ ସେନା ଘାଟିରେ ଭୟଙ୍କର ବିସ୍ଫୋରଣ । ପାକିସ୍ତାନ ସୀମା ଭିତରେ ତାଲିବାନର ପାଲଟା ପ୍ରଚଣ୍ଡ ଆକ୍ରମଣ । ତେଜିଲା ପାକ୍-ଆଫଗାନ୍ ବିବାଦ। ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ସୀମା ବିବାଦ ଏବେ ଭୟଙ୍କର ରୂପ ଧାରଣ କରିଛି। ପାକିସ୍ତାନ ପକ୍ଷରୁ କାବୁଲ ଓ କାନ୍ଦାହାର ପରି ସହର ଉପରେ ଏୟାରଷ୍ଟ୍ରାଇକ୍ କରାଯିବା ପରେ ତାଲିବାନ ଏହାର କଡ଼ା ଜବାବ ଦେଇଛି ।
ପାକିସ୍ତାନ ସୀମା ଭିତରେ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରାଯାଇଥିବା ନେଇ ତାଲିବାନ ଭିଡିଓ ଜାରି କରିଛି। ପାକିସ୍ତାନୀ ସେନା ଦାବି କରିଛି ସେମାନେ ଆଫଗାନିସ୍ତାନରେ ଥିବା TTP ଶିବିର ଓ ତାଲିବାନର ସାମରିକ ଘାଟି ଉପରେ ଆକ୍ରମଣ କରିଛୁ । ଏଥିରେ ଶତାଧିକ ତାଲିବାନୀ ନିହତ ହୋଇଥିବା ପାକିସ୍ତାନ ଦାବି କରିଛି । ଏପଟେ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ଡ୍ରୋନ୍ ଦ୍ବାରା ପାକିସ୍ତାନର ନୌସେରା ଓ ଆବୋଟାବାଦ ପରି ସାମରିକ କେନ୍ଦ୍ର ଉପରେ ସଫଳ ଆକ୍ରମଣ କରିଛି । ତେବେ ପାକିସ୍ତାନ କହିଛି ସେମାନେ ସମସ୍ତ ଡ୍ରୋନକୁ ଖସାଇ ଦେଇଛନ୍ତି । ସୋସିଆଲ ମିଡିଆରେ ତାଲିବାନ ପକ୍ଷରୁ ଜାରି କରାଯାଇଥିବା କିଛି ଭିଡିଓ ଘୂରି ବୁଲୁଛି । ଏଥିରେ ପାକିସ୍ତାନ ସୀମା ଭିତରେ ବିସ୍ଫୋରଣ ହେଉଥିବା ଦେଖାଯାଉଛି । ରାତି ସମୟର ଏହି ଭିଡିଓଗୁଡ଼ିକରେ ଧୂଆଁ ଏବଂ ନିଆଁ ବାହାରୁଥିବା ଦୃଶ୍ୟ ରହିଛି । ପାକିସ୍ତାନ ଅଭିଯୋଗ କରୁଛି ତାଲିବାନ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି, ଯେଉଁଠାରେ ତାଲିବାନ ଏହାକୁ ଅସ୍ୱୀକାର କରି ପାକିସ୍ତାନକୁ ଆକ୍ରମଣକାରୀ ବୋଲି କହୁଛି ।

