ତିହିଡି, ୨୭.୦୨: ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କ କବଜାରେ ଭଦ୍ରକ ଜିଲ୍ଲାର ଧାମରା ପୋର୍ଟ । ପ୍ରତିବାଦରେ ତିହିଡି ଥାନା ପୀରହାଟ ଥାନାଧିନ ଖେଦରପୁର ନିକଟସ୍ଥ ରେଳପଥ ଲେବୁଲ୍ କ୍ରସିଂ ନିକଟରେ ରେଳରୋକ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରେଳରୋକକୁ ପ୍ରତିହତ କରିବା ଲାଗି ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଉକ୍ତ ସ୍ଥାନ ସହିତ ରେଳପଥର ବିଭିନ୍ନ ଲେବୁଲ୍ କ୍ରସିଂରେ ୧୬୫ ଧାରା ଲାଗୁ କରାଯାଇଥିବା ପ୍ରଚାର କରାଯାଇଥିଲେ ହେଁ ଆନ୍ଦୋଳନକାରୀ ତାହାକୁ ଭୃକ୍ଷେପ ନକରି ଆଜି ରେଳରୋକ ସହ ରେଳପଥରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଭଦ୍ରକ ଜିଲ୍ଲା ବିକାଶ ପରିଷଦ, ଭଦ୍ରକ ଜିଲ୍ଲା ଡମ୍ଫର(ଟିପର) ଟ୍ରକ୍ ମାଲିକ ସଂଘ ଓ ବିଶ୍ୱକର୍ମା ଟ୍ରକ ମାଲିକ ସଂଘର ମିଳିତ ଆନୁକୂଲ୍ୟରେ ଏହି ରେଳରୋକ୍ ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ କରାଯାଇଥିଲା । ଫଳରେ ଅଢେଇ ଘଣ୍ଟା କାଳ ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ ରହିଥିଲା । ଉପଜିଲ୍ଲାପାଳ ଘଟଣା ସ୍ଥଳରେ ପହଂଚି ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ୧୫ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ଓ ଧାମରା ପୋର୍ଟର କର୍ମକର୍ତ୍ତାମାନେ ଆନ୍ଦୋଳନକାରୀଙ୍କ ସହିତ ସବିଶେଷ ଆଲୋଚନା କରିବା ସ୍ଥିର କରାଯିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ଶୁଭେନ୍ଦୁ ରାୟମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ପ୍ରତିବାଦ ସଭାରେ ଜ୍ୟୋତିପ୍ରକାଶ ମହାନ୍ତି, ପ୍ରଫୁଲ ପୃଷ୍ଟି, ସୁରେଶ ନାୟକ, ରଥିଆ ବାରିକ, ଚନ୍ଦନ ନାୟକ, ପ୍ରଶାନ୍ତ ବାରିକ, ପ୍ରଶାନ୍ତ ଦାସ, ବିଷ୍ଣୁ ରାଉତ, ବଳରାମ ପରିଡା, ତାଳଧ୍ୱଜ ବେହୁରା, ଅଶୋକ ବାରିକ, ଶୁସାନ୍ତ ସ୍ୱାଇଁ, ରଜତ ପତି ଓ ଗୁରୁପଦ ସାହୁ ପ୍ରମୁଖ ଶତାଧିକ ସାମିଲ ହୋଇଥିଲେ । ରେଳପଥରେ ନାଲି ପତାକା ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଧାମରା ପୋର୍ଟ ବିରୋଧରେ ନାରାବାଜି କରାଯାଇଥିଲା । ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ଓ ପୀରହାଟ ଆଇଆଇସି ରୋଜାଲିନି ବେହେରାଙ୍କ ସମେତ ପୋଲିସ ଫୋର୍ସ ପ୍ରମୁଖ ଉପସ୍ଥିତ ଥିଲେ । ଅଭିଯୋଗ ଅନୁଯାଇ, ସାମ୍ପ୍ରତିକ ସାମାଜିକ, ଅର୍ଥନୈତିକ, ରାଜନୈତିକ କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବା ଭଦ୍ରକ ଜିଲ୍ଲାରେ ଶିଳ୍ପାୟନର ଦ୍ରୁତ ପ୍ରଗତି ଓ ସ୍ଥାନୀୟ ଜନସାଧାରଣଙ୍କର ଅଭିବୃଦ୍ଧି ପାଇଁ ପ୍ରତିଷ୍ଠା ହୋଇଥିବା ଧାମରା ବନ୍ଦର ଆଜି ଜିଲ୍ଲାର ଅଧିକାଂଶ ଲୋକମାନଙ୍କ ପାଇଁ ଏକ ଦୁଃସ୍ୱପ୍ନରେ ପରିଣତ ହୋଇଛି । ଏହି ଧାମରା ବନ୍ଦରକୁ ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ବନ୍ଦର ରୂପେ ଗଢ଼ିତୋଳି ରୋଜଗାର, ନିଯୁକ୍ତି, ପରିବହନ ଓ ଭତ୍ତିଭୂମିର ଅହେତୁକ ବିକାଶ କରିବାର ଲମ୍ବା ପ୍ରତିଶୃତି ପାଣିର ଗାର ସଦୃଶ ହୋଇଅଛି । ଆଇଟିଆଇ, ଡିପ୍ଲୋମା ଓ ଡିଗ୍ରୀ ପ୍ରାପ୍ତ ଶହ ଶହ ବେକାର ଯୁବକ ଯୁବତୀମାନଙ୍କର ଧାମରା ବନ୍ଦରକୁ ଆଧାର କରି ଦେଖା ଯାଇଥିବା ସ୍ୱପ୍ନ, ଉତ୍ସାହ ଓ ଉଦ୍ଦୀପନା ପାଣି ଫୋଟକା ଭଳି ମେଳେଇ ଯାଇଛି । ୨୦୦୭ ମସିହାଠାରୁ ଆଜି ପର୍ଯ୍ୟନ୍ତ ହଜାର ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ସରକାର କରିଥିବା ଚୁକ୍ତିନାମା କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି । ଏହି ସମସ୍ୟାର ମୂଳ କାରଣ ହେଲା ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧ ସମୟ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଉଭୟ ସମୁଦ୍ର ଓ ସ୍ଥଳଭାଗ ଦେଇ ବଙ୍ଗଳାଦେଶରୁ ଆସିଥିବା ହଜାର ହଜାର ଶରଣାର୍ଥୀ ଓ ଅନୁପ୍ରବେଶକାରୀ ଧାମରାରେ ଥିବା ବନ୍ଦର ଭିଭିକ ରୋଜଗାରକୁ କବଜା କରି ବସିଛନ୍ତି । ବର୍ତମାନ ଚାଲିଥିବା କୋଇଲା ପରିବହନରେ ଏହି ଅନୁପ୍ରବେଶକାରୀମାନଙ୍କର ଦ୍ୱାରା ପରିଚାଳିତ ଓ କରାୟତ ସଂଘଗୁଡ଼ିକ ଗାଡ଼ି ଲଗେଇ କୋଟି କୋଟି ଟଙ୍କା ଉପାର୍ଜନ କରୁଛନ୍ତି । ଧାମରା ଅଞ୍ଚଳର ବେଆଇନ ବଙ୍ଗଳାଦେଶୀ ଅନୁପ୍ରବେଶକାରୀମାନେ ଜଣକା ୧୦ ଖଣ୍ଡ ଗାଡ଼ି କିଣି କୋଇଲା ପରିବହନ ଓ ବ୍ୟବସାୟରେ ନିୟୋଜିତ କରୁଥିବା ବେଳେ ଏହି ଅଞ୍ଚଳରେ ଲୋକେ ଗୋଟିଏ ଦୁଇଟା ଗାଡି କିଣି ଗାଡ଼ିର ଋଣ ସୁଝି ପାରୁ ନାହାଁନ୍ତି । ଭଦ୍ରକରୁ ଧାମରା ୬୨ କି.ମି ଲମ୍ବିତ ରେଳପଥରେ ଥିବା ସମସ୍ତ ରେଳ ଷ୍ଟେସନ ଲେବୁଲ୍ କ୍ରସିଂ ଗେଟ୍ରେ ଚାକିରୀ ପାଇଥିବା ଆନୁମାନିକ ଦେଢ ହଜାର ଲୋକମାନଙ୍କ ମାଧ୍ୟରୁ ହଜାରରୁ ଅଧିକ ହେଉଛନ୍ତି ବଙ୍ଗଳାଦେଶୀ ଅନୁପ୍ରବେଶକାରୀ । ଏତଦଭିନ୍ନ ୨୦୧୭ ମସିହାରେ ଏକ ଦୁଃଖଦ ଘଟଣାକୁ ଆଳ କରି ଧାମରା ପୋର୍ଟର ସମସ୍ତ ଦପ୍ତର ଗୁଡ଼ିକୁ ନିଆଁ ଲଗାଇ ପୋଡ଼ି ପାଉଁଶ କରି ଓ ପୋଲିସ୍ ଭୟରେ ନିଜ ଦେଶକୁ ଛାଡ଼ି ପଳାଇ ଯାଇଥିବା ଏହି ଅନୁପ୍ରବେଶକାରୀମାନଙ୍କୁ ପୁଣି କମ୍ପାନୀ କର୍ତ୍ତୃୃପକ୍ଷ ପ୍ରାଧାନ୍ୟ ଦେବା ଅତ୍ୟନ୍ତ ଲଜ୍ଜା ଜନକ ଅଟେ । ପବ୍ଲିକ-ପ୍ରାଇଭେଟ୍ ପାର୍ଟନରସିପ୍ ଆଧାରରେ ପ୍ରତିଷ୍ଠିତ ହୋଇଥିବା ଏହି ପୋର୍ଟକୁ ଏକ ପ୍ରାଇଭେଟ ପୋର୍ଟ ବୋଲି ଅଭିହିତ କରି ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କର ସ୍ୱରକୁ ଅଧିକାଂଶ ବେଳେ ଅଣଦେଖା କରୁଅଛି । ଏବେ ଚୁପ୍ ରହିବା, ନୀରବଦ୍ରଷ୍ଟା ସାଜିବା ଓ ହତୋତ୍ସାହିତ ହେବାର ବେଳ ଶେଷ ହୋଇଛି ଏବଂ ଦୁର୍ବାର ଆନ୍ଦୋଳନ କରିବାର ସମୟ ଆସିଛି । ଶିଳ୍ପାୟନର ସୁଫଳକୁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ନରଖ୍ ଏହାକୁ ଲୋକାଭିମୁଖୀ କରିବା ପାଇଁ ଆହ୍ୱାନ ଦିଆଯାଇଛି । ନିଯୁକ୍ତି ପାଇଁ ଯୋଗ୍ୟତା ଥିବା ସ୍ଥାନୀୟ ସୁବକ ଯୁବତୀ ହୁଅନ୍ତୁ ବା ବ୍ୟବସାୟ ହେଉ ବା ପରିବହନ ପାଇଁ ଲୋନ୍ କରି ଗାଡ଼ି କିଣିଥିବା ସ୍ଥାନୀୟ ବ୍ୟକ୍ତି ଧାମରା ପୋର୍ଟ ସମାନ ଭାବରେ ପ୍ରାଧ୍ୟାନ୍ୟ ନଦେଲେ ଆଗାମି ଦିନରେ ଲଢେଇ ଜୋରଦାର କରାଯିବ ବୋଲି ଚେତାବନି ଦିଆଯାଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

