ମୁରିବାହାଲ ;୨୦/୦୨/୨୬ ୫୯ ନମ୍ବର ଜାତୀୟ ରାଜପଥ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଟାବନ୍ଧ ରୁ ଘଣ୍ଟବାହାଲି ଗ୍ରାମ ମଧ୍ୟରେ ଏକ କାର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିଲା।ଏହି ଦୁର୍ଘଟଣା ପରେ ସନ୍ଧ୍ୟାରେ କ୍ଷତିପୂରଣ ଦାବୀ କରି ପରିବାର ଓ ଗ୍ରାମବାସୀ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିବାରୁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ଗୁରୁତର ବାଧାପ୍ରାପ୍ତ ହୋଇଥିଲା। ବିଟାବନ୍ଧ ପଞ୍ଚାୟତ ଘଣ୍ଟବାହାଲି ଗ୍ରାମର ତ୍ରିନାଥ ରତେଇଙ୍କ ପୁଅ ପଦ୍ମ ରତେଇ(୨୧)ବାଇକ୍ ଓଡ଼ି ୦୩ଏଡି ୮୧୭୫ରେ ଗାଁରୁ ଟିଟିଲାଗଡ ପଟକୁ ଯାଉଥିବା ବେଳେ ଅପର ପାର୍ଶ୍ଵରୁ ଆସୁଥିବା ଓଡ଼ି ୦୨ଏଫ୍ ୧୮୫୧ ଟାଟା ଇଣ୍ଡିଗୋ କାର ସହିତ ମୁହାଁମୁଁହି ଧକ୍କା ହୋଇଥିଲା। ଧକ୍କା ପରେ କାର ବାଇକ ସହ ପଦ୍ମଙ୍କୁ କିଛି ବାଟ ଘୋଷାଡି ନେଇଥିଲା।ଏହି ଧକ୍କା ଏତେ ଜୋରଦାର ହୋଇଥିଲା ଯେ ଘଟଣାସ୍ଥଳରେ ହିଁ ମୁଣ୍ଡ ଫାଟି ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ବାଇକ୍ ଆରୋହୀ ପଦ୍ମଙ୍କ ମୃତ୍ୟୁ ଘଟିଥିବା ବେଳେ କାର ଓ ବାଇକ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।ଖବର ପାଇ ପରିବାର ଓ ଗ୍ରାମବାସୀ କ୍ଷତିପୂରଣ ଦାବୀ କରି ଜାତୀୟ ରାଜପଥକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅବରୋଧ କରିଥିଲେ।ମାଜିଷ୍ଟ୍ରେଟ ଦାୟିତ୍ବରେ ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମି ପହଞ୍ଚି ପରିବାର ସହ ଆଲୋଚନା କରିଥିଲେ।ରେଡକ୍ରସ ପାଣ୍ଠିରୁ ପୀଡ଼ିତ ପରିବାରଙ୍କୁ ୨୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା।ଟିଟିଲାଗଡ ଥାନା ପୁଲିସ ପହଞ୍ଚି ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ ପଠାଇଥିଲା।ଶନିବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି।କାରର ପ୍ରକୃତ ମାଲିକ କିଏ ଓ ଏହା କାହାର ଜଣାପଡିନଥିବା ବେଳେ ଚାଳକ ଘଟଣାସ୍ଥଳରୁ ତୁରନ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି।ରାସ୍ତା ଅବରୋଧ ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହାନ ଅଟକି ରହି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।ଶେଷରେ ରାତି ୯.୩୦ରେ ରାସ୍ତା ଅବରୋଧ ହଟିବା ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା।

