ବିଶାଖାପାଟଣା: ବିଶାଖାପାଟଣା ତୈଳ ରିଫାଇନାରୀରେ ବିସ୍ଫୋରଣ । ହୁତୁହୁତୁ ହୋଇ ଜଳିଲା ନିଆଁ । ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଏଚପିସିଏଲ୍ ତୈଳ ରିଫାଇନାରୀରେ ଅଗ୍ନିକାଣ୍ଡ ଘଟିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ତେବେ ସୌଭାଗ୍ୟବଶତଃ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାଁନ୍ତି ।
ଅଘଟଣର ଅନେକ ଭିଡିଓ ଭାଇରାଲ ହେଉଛି । ଏଥିରେ ନିଆଁ ଆକାଶକୁ ଉଠୁଥିବା ଦେଖିବାକୁ ମିଳିଛି । କେଉଁ କାରଣରୁ ଅଗ୍ନିକାଣ୍ଡ ହୋଇଥିଲା ତାହାର କାରଣ ଜଣା ପଡି ନାହିଁ । କମ୍ପାନୀ ପକ୍ଷରୁ ଏହାର କାରଣ ବାବଦରେ ସ୍ପଷ୍ଟ କରାଯିବ । ଏବେ ନିଆଁକୁ ଆୟତ୍ତ କରାଯାଇଛି । ଅଘଟଣ ପରେ ତୁରନ୍ତ ଦମକଳ ବାହିନୀ ସେଠାରେ ପହଁଚିଥିଲେ । ସେମାନେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।

