ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ତଦନ୍ତ ଜାରି
ବ୍ରହ୍ମପୁର, ୨।୧୧: ବ୍ରହ୍ମପୁର ସହରର ଅଙ୍କୁଳି ବାଇପାସ୍ ନିକଟରେ ଘଟିଥିବା ଚର୍ଚ୍ଚିତ ପ୍ରଦୀପ କୁମାର ସେଠୀ ହତ୍ୟାକାଣ୍ଡ ଘଟଣାରେ ବ୍ରହ୍ମପୁର ପୋଲିସକୁ ସଫଳତା ମିଳିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ତିନି ଜଣଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଏକ ଲୁହା ଖଣ୍ଡା ଜବତ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସର ତଦନ୍ତରୁ ଜଣାପଡ଼ିଛି।
ପୋଲିସର ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୩୦ ତାରିଖ ଅପରାହ୍ନ ପ୍ରାୟ ୪ଟା ସମୟରେ ଅଙ୍କୁଳି ବାଇପାସ୍ ନିକଟସ୍ଥ ଏକ ଚା’ ଦୋକାନ ପାଖରେ ପ୍ରଦୀପ କୁମାର ସେଠୀଙ୍କୁ ଖଣ୍ଡା ଓ ଅନ୍ୟାନ୍ୟ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ଆକ୍ରମଣରେ ଗୁରୁତର ହୋଇଥିବା ପ୍ରଦୀପଙ୍କୁ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ରାତି ୮ଟା ୦୩ ମିନିଟ୍ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରଥମେ ଏହି ଘଟଣାକୁ ସଡ଼କ ଦୁର୍ଘଟଣା ବୋଲି ସନ୍ଦେହ କରାଯାଇ ଟ୍ରାଫିକ୍ ଥାନାରେ ମାମଲା ରୁଜୁ ହୋଇଥିଲା। ତେବେ ପୋଲିସର ତଦନ୍ତ, ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସାକ୍ଷୀଙ୍କ ବୟାନରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା। ଏହାପରେ ବି.ଏନ୍.ପୁର ଥାନାରେ ନୂତନ ମାମଲା ରୁଜୁ କରାଯାଇ ତଦନ୍ତକୁ ଜୋରଦାର କରାଯାଇଥିଲା।
ଏହି ମାମଲାରେ ଗିରଫ ଅଭିଯୁକ୍ତମାନେ ହେଲେ ଲବ ସେଠୀ (୨୮), ବାବୁଲା ବେହେରା (୨୮) ଓ ଦୀପକ ସେଠୀ (୨୩)। ପୋଲିସ ସେମାନଙ୍କଠାରୁ ତଥ୍ୟ ସଂଗ୍ରହ କରିବା ସହ ଘଟଣାରେ ବ୍ୟବହୃତ ଲୁହା ଖଣ୍ଡାକୁ ଜବତ କରିଛି। ଏଥିସହ ବୈଜ୍ଞାନିକ ପ୍ରମାଣ ଓ ସାକ୍ଷୀଙ୍କ ବୟାନ ମଧ୍ୟ ସଂଗ୍ରହ କରାଯାଇଛି।
ଗିରଫ ତିନି ଅଭିଯୁକ୍ତଙ୍କୁ ନଭେମ୍ବର ୨ ତାରିଖରେ ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି। ତେବେ ଏହି ହତ୍ୟାକାଣ୍ଡ ପଛରେ ଥିବା କଥିତ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ଏବେ ମଧ୍ୟ ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ ତନାଘନା ଜାରି ରହିଛି।
ଏହି ଘଟଣାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଥିବାବେଳେ ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଅନ୍ୟମାନଙ୍କ ସମ୍ପୃକ୍ତି ସମ୍ପର୍କରେ ପୋଲିସର ପରବର୍ତ୍ତୀ ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି।

