ରାଜ୍ୟରେ ପ୍ରଥମ ଥର ଶାସନ ଦାୟିତ୍ୱ ନେଇଥିବା ଭାରତୀୟ ଜନତା ପାର୍ଟି ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶାର ମହାପୁରୁଷମାନଙ୍କ ସ୍ମୃତିରେ ଐତିହ୍ୟ ଗ୍ରାମ ଯୋଜନା ଘୋଷଣା କରିଥିଲେ । ମହାପୁରୁଷମାନଙ୍କ ଜନ୍ମସ୍ଥାନର ବିକାଶ ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ରଖାଯାଇଥିଲା । ଏହି ଯୋଜନା ଅଧିନରେ ବାଲେଶ୍ୱରର ବରପୁତ୍ର କଥାସମ୍ରାଟ ଫକୀରମୋହନ ସେନାପତିଙ୍କ ଜନ୍ମସ୍ଥାନ ମଲ୍ଲିକାଶପୁର ଗ୍ରାମକୁ ଐତିହ୍ୟ ଗ୍ରାମ ଭାବେ ଗ୍ରହଣ ପାଇଁ ସଦର ବିଧାୟକ ମାନସ କୁମାର ଦତ୍ତ ପ୍ରସ୍ତାବ ଦେଇଥିଲେ । ସମ୍ପ୍ରତି ସରକାରଙ୍କ ପକ୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଫକୀରମୋହନ ସେନାପତିଙ୍କ ଜନ୍ମସ୍ଥାନ ମଲ୍ଲିକାଶପୁର ଗ୍ରାମକୁ ସାମିଲ କରାଯାଇଥିବା ସମ୍ପର୍କରେ ବିଧାନସଭାର ପ୍ରଶ୍ନକାଳରେ ବିଧାୟକ ଶ୍ରୀ ଦତ୍ତ ପ୍ରଶ୍ନ ପଚାରିଥିଲେ । ଏହି ଯୋଜନାରେ ହେବାକୁ ଥିବା ଉନ୍ନତିମୂଳକ ପ୍ରକ୍ରିୟା ସମ୍ପର୍କରେ ସେ ଜାଣିବାକୁ ଚାହିଁଥିଲେ । ଏହା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଐତିହ୍ୟ ଗ୍ରାମ ଯୋଜନାରେ ବିକଶିତ ହେବାକୁ ଥିବା ପ୍ରସ୍ତାବିତ ମହାପୁରୁଷଙ୍କ ଗ୍ରାମର ତାଲିକା ସହ ଏଥିପାଇଁ ବିନିଯୋଗ ହେବାକୁ ଥିବା ଅର୍ଥର ପରିମାଣ ଜଣାଇବାକୁ ସେ ଅନୁରୋଧ କରିଥିଲେ ।
ବିଧାୟକ ଶ୍ରୀ ଦତ୍ତଙ୍କ ପ୍ରଶ୍ନର ଉତ୍ତରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଓଡ଼ିଶାର ସାମାଜିକ-ସାଂସ୍କୃତିକ-ସାହିତ୍ୟିକ ପରିବେଶକୁ ଗଢ଼ି ତୋଳିଥିବା ପ୍ରତିଷ୍ଠିତ ବରପୁତ୍ର, ସ୍ୱାଧୀନତା ସଂଗ୍ରାମୀ ଏବଂ ମହାନ୍ ବ୍ୟକ୍ତିତ୍ୱଙ୍କ ଅବଦାନ ପରପିଢିକୁ ପ୍ରେରିତ ଓ ଅନୁପ୍ରାଣିତ ତଥା ସେମାନଙ୍କର ସ୍ମୃତିକୁ ଉଜ୍ଜୀବିତ କରି ରଖିବାର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୫ ଜଣ ବରପୁତ୍ରଙ୍କ ଜନ୍ମସ୍ଥାନର ଉନ୍ନତିକରଣ ନିମନ୍ତେ ସର୍ବାଧିକ ୩୪୫ କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରତ୍ୟେକ ବରପୁତ୍ରଙ୍କ ଜନ୍ମସ୍ଥାନର ଉନ୍ନତିକରଣ ନିମନ୍ତେ ଆବଶ୍ୟକତା ଅନୁଯାୟୀ ସର୍ବାଧିକ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବ । ଓଡିଆ ଭାଷାର ତ୍ରାଣକର୍ତ୍ତା ଭାବେ ପରିଚିତ ବରପୁତ୍ର ଫକୀରମୋହନ ସେନାପତିଙ୍କ ଜନ୍ମସ୍ଥାନ ମଲ୍ଲିକାଶପୁରକୁ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ର ପ୍ରଥମ ପର୍ଯ୍ୟାୟରେ ସ୍ଥାନିତ କରାଯାଇଛି । ଏହି ଯୋଜନା ଅଧୀନରେ ବରପୁତ୍ରଙ୍କ ବାସଗୃହକୁ ସଂଗ୍ରହାଳୟ ଭାବେ ବିକାଶ କରାଯିବ । ସେଠାରେ ବ୍ୟାଖ୍ୟାନ କେନ୍ଦ୍ର, ଗ୍ରନ୍ଥାଗାର, ସମ୍ମିଳନୀ କକ୍ଷ, ମୁକ୍ତାକାଶ ରଙ୍ଗମଂଚ, ଶିଶୁ ଉଦ୍ୟାନ ସ୍ଥାପନ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବିକାଶ କରାଯିବ । ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଓ ସ୍ମାରକୀ ସ୍ଥାପନ କରାଯିବ । ସ୍ଥାନୀୟ ଜୀବିକାକୁ ପ୍ରୋତ୍ସାହନ ଦେବା ପାଇଁ ସେହି ଅଂଚଳର ପ୍ରସିଦ୍ଧ ବ୍ୟଞ୍ଜନ, ହସ୍ତକଳା ଓ ହସ୍ତଶିଳ୍ପ ଉତ୍ପାଦ ପ୍ରଭୃତିର ବିକ୍ରୟ କେନ୍ଦ୍ର ସ୍ଥାପନ କରାଯିବ । ବରପୁତ୍ରଙ୍କ ଜୀବନୀ ଉପରେ ବିଭିନ୍ନ ସମ୍ମିଳନୀ, ଚର୍ଚ୍ଚା, ଆଲୋଚନା ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ସେମାନଙ୍କର ଆଦର୍ଶ, ପ୍ରେରଣା ଓ ମୂଲ୍ୟବୋଧର ପ୍ରଚାର ପ୍ରସାର କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ପ୍ରକାଶ କରିଛନ୍ତି ।

