ବାଲେଶ୍ୱର ଜିଲ୍ଲାରେ ପ୍ରସ୍ତାବିତ ବାଙ୍କତୀରା ବୃହତ ଜଳସେଚନ ପ୍ରକଳ୍ପର ସ୍ଥିତାବସ୍ଥା ସମ୍ପର୍କରେ ବିଧାନସଭାର ପ୍ରଶ୍ନ ଉତଥାପନ କରିଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ । ସମ୍ପୃକ୍ତ ପ୍ରକଳ୍ପ ପାଇଁ ପ୍ରସ୍ତାବିତ ବ୍ୟୟ ବରାଦର ଉତ୍ସ ସହିତ ପରିମାଣ ସମ୍ପର୍କରେ ତଥ୍ୟ ଦେବା ନିମନ୍ତେ ସେ ଅନୁରୋଧ କରିଥିଲେ । ଏହା ସହିତ ପ୍ରକଳ୍ପର ଡିପିଆରର ସ୍ଥିତି, ଟେଣ୍ଡର ପ୍ରକ୍ରିୟା ଏବଂ ଆରମ୍ଭ ଓ ଶେଷ ତାରିଖ ସମେତ ସମ୍ପୃକ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଉପକୃତ ହେବାକୁ ଥିବା ପଂଚାୟତର ତାଲିକା ପ୍ରଦାନ ପୂର୍ବକ ସବିଶେଷ ବିବରଣୀ ପ୍ରଦାନ ପାଇଁ ନିବେଦନ କରିଥିଲେ ।
ଜଳସେଚନ ବିଭାଗକୁ ନିଜ ଦାୟିତ୍ୱରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ଭାରତ ସରକାରଙ୍କ କେନ୍ଦ୍ରୀୟ ଜଳ ଆୟୋଗର ଅନୁମୋଦନ କ୍ରମେ ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଦ୍ୱାରା ରେମୁଣା ତହସିଲ ଅନ୍ତର୍ଗତ ଦରକୁଲି ଗ୍ରାମରେ ବାଙ୍କତିରା ବ୍ୟାରେଜ ପ୍ରକଳ୍ପଟି କାର୍ଯ୍ୟକାରୀ ହେଉଛି । ଆକ୍ସେଲେରେଟେଡ ଇରିଗେସନ ବେନିଫିଟ ପ୍ରୋଗ୍ରମ (ତ୍ୱରିତ ଜଳସେଚେନ ଲାଭ କାର୍ଯ୍ୟକ୍ରମ, ଏଆଇବିପି) ଅନ୍ତର୍ଗତ ଏହି ପ୍ରକଳ୍ପ ପାଇଁ ୫୦୫.୯୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ପ୍ରକଳ୍ପର ସମ୍ପୂର୍ଣ ପ୍ରକଳ୍ପ ବିବରଣୀ ରିପୋର୍ଟ (ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ, ଡିପିଆର) ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଦ୍ୱାରା ଅନୁମୋଦିତ ହୋଇଥିବା ବେଳେ ଏହାର ଟେଣ୍ଡର ପ୍ରକ୍ରିୟା ମଧ୍ୟ ସମ୍ପାଦିତ ହୋଇ ସାରିଛି । ସେହି ଅନୁସାରେ ଛତିଶଗଡର ରାୟପୁର ସ୍ଥିତ ଆରଏସଏ ଇନଫ୍ରା ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ୨୦୨୩ ମସିହା ଅକ୍ଟୋବର ୨୦ ତାରିଖରେ ଏହି ପ୍ରକଳ୍ପ ଆରମ୍ଭ ହୋଇ ୨୦୨୬ ମସିହା ଅପ୍ରେଲ ୧୯ ତାରିଖରେ ଶେଷ ହେବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ହେଁ ଜମି ଅଧିଗ୍ରହଣ କାର୍ଯ୍ୟରେ ସ୍ଥାନୀୟ ଗ୍ରାମବାସୀଙ୍କ ଅସହଯୋଗ କାରଣରୁ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ହୋଇପାରୁନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ଏହା ବୃହତ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହେଲେ ୨୨ ଗୋଟି ପଂଚାୟତର ୭୩୦୦ ହେକ୍ଟର ଜମିରେ ଜଳସେଚନ କରାଯାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି ।
ତେବେ ରାଜ୍ୟରେ ଅଦ୍ୟାବଧି କେତେ ଭାଗ ଜମିକୁ ଜଳସେଚନ କରାଯାଇ ପାରିଛି? ଗତ ୨ ବର୍ଷ ମଧ୍ୟରେ କେତେ ଜମିକୁ ଜଳସେଚନ ସୁବିଧା କରାଯାଇଛି? ଏବଂ ଏଥି ନିମନ୍ତେ କେତେ ଅର୍ଥ ବ୍ୟୟ ହୋଇଛି ସମ୍ପର୍କରେ ବିଧାୟକ ଶ୍ରୀ ଦତ୍ତଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ । ରାଜ୍ୟର ସମୁଦାୟ ଚାଷ ଉପଯୋଗୀ ଜମିର ପରିମାଣ ପ୍ରାୟ ୬୧.୮୦ ଲକ୍ଷ ହେକ୍ଟର । ୨୦୨୫ ମସିହା ଡିସେମ୍ବର ମାସ ଶେଷ ସୁଦ୍ଧା ପ୍ରାୟ ୮୪.୩୧ ପ୍ରତିଶତ ଚାଷ ଜମିରେ ଜଳସେଚନ ସୁବିଧା ସୃଷ୍ଟି କରାଯାଇଛି । ରାଜ୍ୟ ସରକାର ଗତ ଆର୍ôଥକ ବର୍ଷରୁ ୨୦୨୫ ମସିହା ଡିସେମ୍ବର ମାସ ଶେଷ ସୁଦ୍ଧା ଅଧିକ ପ୍ରାୟ ୨.୧୭ ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧା ସୃଷ୍ଟି କରିଛନ୍ତି ଏବଂ ଏଥି ପାଇଁ ୩୨୭୬.୮୮ କୋଟି ଅର୍ଥ ଖର୍ଚ୍ଚ ହୋଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି ।

