ନୂଆଦିଲ୍ଲୀ : ବଦଳିଲା ଇତିହାସ । PMO ପାଇଲା ନୂଆ ଠିକଣା । ସ୍ୱାଧୀନ ଭାରତର ଇତିହାସ ଏକ ନୂଆ ମୋଡ଼ ନେବାକୁ ଯାଉଛି । ଶେଷ ହେବ ବ୍ରିଟିଶ୍ ଯୁଗର ଚିହ୍ନ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ‘ସାଉଥ୍ ବ୍ଲକ୍’ରୁ ବାହାରି ଏବେ ତାର ନୂଆ ଠିକଣା ସେବାତୀର୍ଥକୁ ଯିବ । ତେବେ ସଂଯୋଗର କଥା ୧୯୩୧ ମସିହା ଫେବୃଆରୀ ୧୩ ତାରିଖ ଦିନ ହିଁ ବ୍ରିଟିଶମାନେ ନୂଆଦିଲ୍ଲୀକୁ ଭାରତର ରାଜଧାନୀ ଭାବେ ଘୋଷଣା କରିଥିଲେ । ଆଉ ଆଜି ସମାନ ଦିନରେ ସାଉଥ୍ ବ୍ଲକ୍ ରୁ ବିଦାୟ ନେବ PMO ।
ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଅଂଶବିଶେଷ ଭାବେ ନିର୍ମିତ ଅତ୍ୟାଧୁନିକ ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଓ ୨’ କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପିତ କରିବେ । ଆଜି ଅପରାହ୍ନ ପ୍ରାୟ ୧ଟା ୩୦ ସମୟରେ ପ୍ରଧାନମନ୍ତ୍ରୀ ଏହି ନୂତନ ଭବନଗୁଡ଼ିକର ଶୁଭାରମ୍ଭ କରିବେ । ଏହି ଅବସରରେ ସେ ‘ସେବା ତୀର୍ଥ’ ନାମକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିବେ ।
ସେବା ତୀର୍ଥରେ ରହିବ ପ୍ରଧାନମନ୍ତ୍ରୀଙ୍କ ନୂଆ କାର୍ଯ୍ୟାଳୟ । PMO ଐତିହାସିକ ‘ସାଉଥ୍ ବ୍ଲକ୍’ରୁ ପରିଚାଳିତ ହେଉଥିଲା । ଏବେ ଏହା ସମ୍ପୂର୍ଣ୍ଣ ଭାବେ ‘ସେବା ତୀର୍ଥ’କୁ ସ୍ଥାନାନ୍ତର ହେବ । ଏହି ପରିସରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଓ କ୍ୟାବିନେଟ୍ ସଚିବାଳୟ କାର୍ଯ୍ୟ କରିବ । ପୂର୍ବରୁ ଏହାକୁ ‘ଏଗ୍ ଜିକ୍ୟୁଟିଭ୍ ଏନକ୍ଲେଭ୍’ କୁହାଯାଉଥିବା ବେଳେ, କ୍ଷମତା ପରିବର୍ତ୍ତେ ଜନସାଧାରଣଙ୍କ ସେବାକୁ ପ୍ରାଥମିକତା ଦେବା ପାଇଁ ଏହାର ନାମ ‘ସେବା ତୀର୍ଥ’ ରଖାଯାଇଛି ।
କର୍ତ୍ତବ୍ୟ ଭବନରେ ଏକାଠି ରହିବେ ବିଭିନ୍ନ ମନ୍ତ୍ରଣାଳୟ । କେନ୍ଦ୍ରୀୟ ସଚିବାଳୟର ସମ୍ପ୍ରସାରଣ ପୂର୍ବକ କର୍ତ୍ତବ୍ୟ ଭବନ-୧ ଓ ୨ ର ନିର୍ମାଣ କରାଯାଇଛି । ଏଠାରେ ଅର୍ଥ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ ରହିବ । ଏହାଦ୍ୱାରା ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ ସମନ୍ୱୟ ରକ୍ଷା ହେବା ସହ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ । ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଜରିଆରେ ଦିଲ୍ଲୀର ପାୱାର କରିଡରକୁ ଆଧୁନିକ ରୂପ ଦିଆଯାଉଛି । ପୁରୁଣା ବ୍ରିଟିଶ କାଳର ବିଲ୍ଡିଂ ପରିବର୍ତ୍ତେ ଏହି ନୂଆ ଭବନଗୁଡ଼ିକ ଭାରତର ସ୍ୱାଭିମାନ ଓ ସେବା ମନୋଭାବର ପରିଚୟ ଦେବ ।

