ଖେଳ

‘ମୁଁ ଗର୍ଭବତୀ ନାହିଁ, ମୋ ପାଇଁ ବାଦ ପଡ଼ିନାହାନ୍ତି ଷ୍ଟାର୍କ’

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିରୁ ଅଷ୍ଟ୍ରେଲିୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ବାଦ ପଡ଼ିବାକୁ ନେଇ ଏକ ଭିନ୍ନ ପ୍ରକାରର ବିବାଦ ସୃଷ୍ଟି ହୋଇଛି। ଏହି ବିବାଦ ପରେ, ଷ୍ଟାର୍କଙ୍କ ପତ୍ନୀ ଆଲିସା ହିଲି, ଯିଏ ନିଜେ ଅଷ୍ଟ୍ରେଲିଆ ମହିଳା ଦଳର ଅଧିନାୟିକା, ତାଙ୍କୁ ସ୍ପଷ୍ଟୀକରଣ ପାଇଁ ଆଗକୁ ଆସିବାକୁ ପଡିଛି । ଆଲିସା ହିଲି କହିଛନ୍ତି ଯେ ତାଙ୍କ ସ୍ୱାମୀ ଷ୍ଟାର୍କଙ୍କ ଚାମ୍ପିଅନ୍ସ ଟ୍ରଫିରୁ ଓହରିଯିବାର କାରଣ ପରିବାର ସମ୍ବନ୍ଧୀୟ ନୁହେଁ। ହିଲି ତାଙ୍କ ଗର୍ଭଧାରଣ ବିଷୟରେ ମଧ୍ୟ କହିଛନ୍ତି।

ମିଚେଲ ଷ୍ଟାର୍କ ସମ୍ପ୍ରତି ବର୍ଡର-ଗାଭାସ୍କର ଟ୍ରଫିର ସମସ୍ତ ୫ଟି ଟେଷ୍ଟ ମ୍ୟାଚ୍ ଏବଂ ଶ୍ରୀଲଙ୍କା ଗସ୍ତରେ ୨ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏହା ପରେ, ସେ ୧୯ ଫେବୃଆରୀରୁ ଅନୁଷ୍ଠିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳରୁ ଓହରିଗଲେ। କ୍ରିକେଟ୍ ଅଷ୍ଟ୍ରେଲିଆ ତାଙ୍କ ବାଦ ପଡିବା କାରଣକୁ ‘ବ୍ୟକ୍ତିଗତ’ ବୋଲି ଦର୍ଶାଇଛି। ଏହା ଅନେକ ଆଲୋଚନାକୁ ଜନ୍ମ ଦେଉଛି। ଆଲିସା ହିଲି ଏକ ପୋଡକାଷ୍ଟରେ ହସି କହିଥିଲେ ଯେ  ମୁଁ ଜାଣିନାହିଁ । ମୁଁ ଏପର୍ଯ୍ୟନ୍ତ ତାଙ୍କ ସହ ଏ ବିଷୟରେ କଥା ହୋଇନାହିଁ | ‘ମୁଁ ଠିକ୍ ଅଛି।’ ହେଡ୍ସ (ବ୍ରାଡ୍ ହାଡିନ୍) କହିଥିଲେ ଯେ ମୁଁ ଗର୍ଭବତୀ ଥାଇପାରେ। କିନ୍ତୁ ମୁଁ ଗ୍ୟାରେଣ୍ଟି ଦେଉଛି ଯେ ଏହା ସତ୍ୟ ନୁହେଁ।’ ୩୪ ବର୍ଷୀୟା ଆଲିସା ହିଲି ଅଷ୍ଟ୍ରେଲିଆର ଜଣେ କ୍ରିକେଟର। ସେ ଅଷ୍ଟ୍ରେଲିଆ ପାଇଁ ୧୧୫ଟି ଦିନିକିଆ, ୧୬୨ଟି ଟି-୨୦ ଏବଂ ୧୦ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି।

ଚୟନ କମିଟି ଅଧ୍ୟକ୍ଷ ଜର୍ଜ ବେଲି କହିଛନ୍ତି ଯେ ଦଳରୁ ମିଚେଲ ଦୂରେଇ ରହିବା ନିରାଶାଜନକ, କିନ୍ତୁ ଏହା ଅନ୍ୟ ଖେଳାଳିମାନଙ୍କ ପାଇଁ ମଧ୍ୟ ଏକ ସୁଯୋଗ। ଦଳ ଷ୍ଟାର୍କଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଏ। ଷ୍ଟିଭ୍ ସ୍ମିଥ୍ ଚାମ୍ପିଅନ୍ସ ଟ୍ରଫିରେ ଅଷ୍ଟ୍ରେଲିଆର ଅଧିନାୟକ ହେବେ। ଦଳରେ ସ୍ପେନ୍ସର ଜନସନ, ନାଥନ ଏଲିସ୍, ସାମ୍ ଆବୋଟ୍ ଭଳି ଯୁବ ବୋଲର ଅଛନ୍ତି। ଅଲରାଉଣ୍ଡର ମାର୍କସ୍ ଷ୍ଟୋଇନିସ୍ ହଠାତ୍ ଅବସର ନେବା ପରେ ଆରୋନ୍ ହାର୍ଡିଙ୍କୁ ଦଳରେ ସାମିଲ କରାଯାଇଛି।

Leave a Reply

Your email address will not be published. Required fields are marked *