ତିହିଡି, ୦୭.୦୨: ଖେଳାଳୀଙ୍କ ଉତ୍ସାହ ଉଦ୍ଦୀପନା ବୃଦ୍ଧି କରିବା ଏବଂ ଗ୍ରାମାଞ୍ଚଳ ଖେଳାଳୀଙ୍କୁ ଜିଲ୍ଲା ତଥା ରାଜ୍ୟ ସ୍ତରରେ ଖେଳିବାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସଦର ବଜାରରେ ମିନି ଷ୍ଟାଡିୟମ । ୨୦୧୧ ମସିହାରେ ପ୍ରଥମ ପର୍ଯ୍ୟାୟରେ ୩୦ ଲକ୍ଷ ଏବଂ ପରେ ୧୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା ଏବଂ ତଦନୁଯାଇ କାର୍ଯ୍ୟାରମ୍ଭ ମଧ୍ୟ ହୋଇଥିଲା । ପାଚେରୀ ନିର୍ମାଣ ସହ ପଡିଆରେ ମାଟି ପଡିବା, ଦୁଇଟି ଗୃହ ନିର୍ମାଣ ଏବଂ ମୁଖ୍ୟ ଫାଟକ ମଧ୍ୟ ନିର୍ମାଣ ହୋଇଛି । ଏଥିସହ ଖେଳ ସରଞ୍ଜାମ ମଧ୍ୟ କିଣା ଯାଇଛି । ତିହିଡି ବ୍ଲକର ଏକମାତ୍ର ଏହି ଷ୍ଟାଡିୟମ ସଂପ୍ରତି ଖେଳାଳୀମାନଙ୍କ ପ୍ରତି ନୈରାଶ୍ୟ ମନୋଭାବ ସୃଷ୍ଟି କରିଛି । କ୍ରୀଡାର ଭିତ୍ତିଭୂମିକୁ ସୁଦୃଢ କରିବା ଲକ୍ଷ୍ୟରେ ତିହିଡି ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ସରକାରଙ୍କ ପକ୍ଷରୁ ୨୦୧୧ ମସିହାରେ ଆରମ୍ଭ ହୋଇଥିଲା ନିର୍ମାଣ ହୋଇଥିଲେ ହେଁ ଏଯାବତ କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ । ଷ୍ଟାଡିୟମ ନିର୍ମାଣ ଲାଗି ୪୫ ଲକ୍ଷ ଟଙ୍କା ବିନିଯୋଗ ହୋଇଥିଲେ ମଧ୍ୟ କଣ ପାଇଁ କାର୍ଯ୍ୟକ୍ଷମ ହୋଇ ପାରୁନି ସେନେଇ କାହାରି ପାଖରେ ଉତ୍ତର ନାହିଁ । ଯାହାକୁ ନେଇ ଖେଳାଳୀମାନେ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଫାଟକ ସମ୍ମୁଖରେ ମଳ ମୂତ୍ର ପଡି ରହିଛି । ପଡିଆରେ ଯାହା ବି ମାଟି ପଡିଛି ତାହା ବର୍ଷାଦିନରେ ଆଣ୍ଠୁଏ ପାଣିରେ ବୁଡି ରହେ । ସଫା ସୁତୁରା ତ ଦୂରର କଥା ପ୍ରଶାସନ ସେ ଜାଗାକୁ ପାଦ ପକେଇବାର କାହାରି ନଜରକୁ ଆସୁନାହିଁ । ବାରମ୍ବାର ଆପତ୍ତି ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଯେଉଁ ଲକ୍ଷ୍ୟ ନେଇ ଏହି ମିନି ଷ୍ଟାଡିୟମ ନିର୍ମାଣ କରାଯାଇଥିଲା ତାହା ବର୍ଷ ବର୍ଷ ପରେ ପୂରଣ ନହେବା କ୍ରୀଡା ବିଭାଗ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

