ତିହିଡି, ୦୭.୦୨: ମିଲ ମାଲିକଙ୍କ ପାଇଁ ଚାଷୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି ମଣ୍ଡି କର୍ତ୍ତୃପକ୍ଷ । ରାତି ପାହିଲେ ମଣ୍ଡିରେ ଚାଷୀଙ୍କର ଲମ୍ବା ଲାଇନ୍ । କାହାର ଧାନ ଯାଉନି ତ ଆଉ କାହାର ଟଙ୍କା ଆସିନି । ଧାନ କିଣାରେ ମଣ୍ଡି କର୍ତ୍ତୃପକ୍ଷ ଅତ୍ୟନ୍ତ ବ୍ୟସ୍ତ ମଧ୍ୟରେ ରହୁଥିବା ବେଳେ ଚାଷୀଙ୍କ ଏପରି ଆପତ୍ତି ଅଭିଯୋଗ ସମସ୍ୟା ସୃଷ୍ଟି କରୁଛି । ମିଲର ଗାଡି ପଠାଉନାହିଁ । ଆବଶ୍ୟକ ମୁତାବକ ଧାନ ନେଉନି । ମଣ୍ଡିରେ କିଣା ଧାନ ରଖିବା ଲାଗି ଆଉ ଜାଗା ନାହିଁ । ଏପରି ସମସ୍ୟା ମଧ୍ୟରେ ଚାଷୀ ଓ ମଣ୍ଡି କର୍ତ୍ତୃପକ୍ଷ କାଳାତିପାତ କରୁଥିବା ବେଳେ ପ୍ରଶାସନିକ ସ୍ତରରେ କୌଣସି ସୁଧାର ଆସିବାରେ ନାଆଁ ଧରୁନି । ସେପଟେ ଧାନ କିଣାକୁ ନେଇ ସରକାରଙ୍କ କୁମ୍ଭୀର କାନ୍ଦଣା ପଦାରେ ପଡିଛି । ବିଳମ୍ବରେ ଧାନ ମଣ୍ଡି ଖୋଲିଥିଲେ ମଧ୍ୟ ଚାଷୀଙ୍କ ଧାନକୁ ସୁରୁଖୁରେ କିଣିବା ମଣ୍ଡି ପକ୍ଷରେ ଅସମ୍ଭବ ହୋଇ ପଡିଛି । ପ୍ରଥମତଃ ଅଲ୍ଲାଇନ୍ କରିଥିବା କେତେକ ଚାଷୀଙ୍କର ଟୋକନ୍ ଏଯାବତ ଆସିଲା ନାହିଁ । ଯେଉଁମାନଙ୍କର ଟୋକନ୍ ଆସିଛି ସେଥିମଧ୍ୟରୁ କେତେକଙ୍କ ଲାପ୍ସ ହେବାର ସମ୍ଭାବନା ଦେଖା ଦେଲାଣି । ଧାନ ବିକିବାର ସପ୍ତାହରୁ ଅଧିନ ଦିନ ବିତି ଯାଇଥିଲେ ଟଙ୍କା ମିଳିନାହିଁ । ମିଲରଙ୍କ ମନମାନିରେ ଚାଲିଛି ଧାନ କିଣା । ଗାଡି ଅଭାବର ଆଳ ଦେଖେଇ ଟାଳି ଚାଲୁଛନ୍ତି । ସେପଟେ ଚାଷୀ ବାପୁଡା ମଣ୍ଡିରେ ପହଁଞ୍ôଚ ହୋହାଲ୍ଲା କଲାଣି । ଆଇସ୍କାନ୍ ହେବା ପରେ ଚାଷୀ ଦୁଇ ତିନି ଦିନ ଅପେକ୍ଷା କରୁଛି ହେଲେ ମିଲର ଧାନ ଲିପ୍ଟିଂ ନକରିବା ପର୍ଯ୍ୟନ୍ତ ସେମାନଙ୍କର ଟଙ୍କା ମିଳୁ ନାହିଁ ଯାହାକୁ ଚାଷୀଙ୍କ ଆକ୍ରୋଶର ଶିକାର ହେଉଛି ମଣ୍ଡି କର୍ତ୍ତୃପକ୍ଷ । ମିଳିଥିବା ସୂଚନା ଅନୁଯାଇ, ତିହିଡି ବ୍ଲକ ଭାଟପଡା ସେବା ସମବାୟ ସମିତିର ଟାରଗେଟ୍ ସରି ଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୨ ହଜାର ୬୭୨ କ୍ୱିଣ୍ଟାଲ ଧାନ ଟାରଗେଟ୍ ମିଳିଥିଲା । ମଣ୍ଡି ପକ୍ଷରୁ ୧୧ ହଜାର ୫୭୧ କ୍ୱିଣ୍ଟାଲ ଧାନ ଧାନ କିଣା ସରିଲା । ସେଥିମଧ୍ୟରୁ ମାତ୍ର ୫ ହଜାର କ୍ୱିଣ୍ଟାଲ ଧାନ ଲିପ୍ଟିଂ ହୋଇଛି ଏବଂ ବଳକା ଧାନ ମଣ୍ଡିରେ ମହଜୁଦ୍ ରହିଛି । ତେବେ ଦୁଇଦିନ ହେଲା ଧାନ କିଣା ବନ୍ଦ ରହିଛି । ଟୋକନ୍ ପାଇଥିବା ଚାଷୀମାନେ ମଣ୍ଡିକୁ ଆସି ନିରାଶରେ ଫେରୁଛନ୍ତି । ଏହି ସମିତିରେ ୯୯୪ ଜଣ ଚାଷୀ ପଞ୍ଜିକରଣ କରିଥିଲେ ତନ୍ମଧ୍ୟରୁ ୨୪୫ ଜଣ ଚାଷୀ ଧାନ ଦେଇଛନ୍ତି ଏବଂ ଆହୁରି ୭୪୯ ଜଣ ଚାଷୀ ଧାନ ଦେବା ଅପେକ୍ଷାରେ ରହିଛନ୍ତି । କେବଳ ଭାଟପଡା ନୁହେଁ ପ୍ରାୟ ସମସ୍ତ ମଣ୍ଡିରେ ଧାନ ପଡି ରହିଛି । କେତେକ ମଣ୍ଡିରେ ଗୋଦାମ ଗୃହ ନଥିବାରୁ ଖରା କାକରରେ ଧାନ ପଡି ରହୁଛି । ଗୃହ ପାଳିତ ପଶୁ ଅଥବା ବୁଲା ଷଣ୍ଢର ପାଦୃଭାବରେ ମଣ୍ଡି କର୍ତ୍ତୁପକ୍ଷ ମୂଲିଆ ଲଗେଇ ଜଗିବାକୁ ବାଧ୍ୟ ହେଉଛି । ତେବେ ମିଲର ଯଦି ନିୟମିତ ଭାବେ ଧାନ ଲିପ୍ଟିଂ କରନ୍ତେ ତାହେଲେ ଏସବୁ ଅସୁବିଧା ଆଉ ହୁଅନ୍ତା ନାହିଁ । ଅମୃତପୁର, ଜାମଯୋଡି, ଚାରିତରଫ୍, ନରେନ୍ଦ୍ରପୁର, ବାମନବିନ୍ଧା, ମଙ୍ଗଳପୁର, ପାଳିଆବିନ୍ଧା, ବିଲଣା, ଅଣ୍ଡରେଇ, ଶ୍ୟାମସୁନ୍ଦରପୁର, ବାରସର ଓ ନିଶ୍ଚନ୍ତପୁର ଆଦି ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡି ରହିଛି । ସେହିପରି ମହିଳା ମଣ୍ଡଳ ଗୁଡିକ ମଣ୍ଡିରେ ମଧ୍ୟ ଧାନ ମଧ୍ୟ ପଡି ରହିଛି । ଏପରି ସମସ୍ୟା ଜାରି ରହିଲେ ଚାଷୀ କେବେ ଧାନ ଦେବ ଏବଂ ଟଙ୍କା ପାଇ ପୂନଶ୍ଚ ଚାଷ କରିବା ଲାଗି ସଜବାଜ୍ ତାହା ଏକ ବଡ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

