ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ୍ କି ବାତ୍’ର ୧୩ତମ ଅଧ୍ୟାୟରେ ଲୋକଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଚଳିତ ବର୍ଷର ଆରମ୍ଭରେ ମନ କି ବାତ୍ କାର୍ଯ୍ୟକ୍ରମରେ ପହଞ୍ଚି ଗଣତନ୍ତ୍ର ଦିବସ ପାଳନ କରିବା ସମ୍ପର୍କରେ କହିଛନ୍ତି । ଏହା ସହିତ ୧୮ ବର୍ଷର ଯୁବ ପିଢ଼ିଙ୍କୁ ଦେଶର ମାଇଲଖୁଣ୍ଟ ଭାବେ ବିବେଚନା କରିଛନ୍ତି । ଭୋଟର ଭାବେ ସେମାନେ ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଯୁବ ବନ୍ଧୁମାନଙ୍କୁ ନିଜକୁ ଭୋଟର ଭାବରେ ପଞ୍ଜିକୃତ କରିବାକୁ ମୋଦି ଅନୁରୋଧ କରିଛନ୍ତି ।
ଏହା ବ୍ୟତୀତ ନଦୀ ବିଷୟରେ କହିବାକୁ ଗଲେ ସେ କହିଥିଲେ ଯେ,ଉତ୍ତର ପ୍ରଦେଶର ତମସା ନଦୀକୁ ଲୋକମାନେ ନୂତନ ଜୀବନ ଦେଇଛନ୍ତି । ପ୍ରଦୂଷଣ ତମସା ନଦୀର ଅବିଚ୍ଛିନ୍ନ ପ୍ରବାହକୁ ବାଧା ଦେଇଥିଲା । ଯାହା ପରେ ସ୍ଥାନୀୟ ଲୋକମାନେ ଏହାକୁ ପୁନରୁଦ୍ଧାର କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ । ସ୍ଥାନୀୟ ଲୋକମାନେ କର୍ତ୍ତବ୍ୟବୋଧ ସହିତ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ପରେ ପୁନରୁଦ୍ଧାର କରିବାରେ ସଫଳତା ମିଳିଥିଲା । ଏଥିସହ ଆନ୍ଧ୍ରପ୍ରଦେଶର ଅନନ୍ତପୁରର ଉଦାହରଣ ମଧ୍ୟ ଦେଇଥିଲେ । ଅନନ୍ତପୁର ଭୟଙ୍କର ମରୁଡିର ସମ୍ମୁଖୀନ ହେଉଥିଲେ । ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକମାନେ ଜଳାଶୟଗୁଡ଼ିକୁ ସଫା କରିବାକୁ ସଂକଳ୍ପ ନେଇଥିଲେ । ଅନନ୍ତପୁର ନିରୁ ସଂରକ୍ଷଣମ୍ ପ୍ରକଳ୍ପକୁ ପ୍ରଶାସନ ସମର୍ଥନ କରିଥିଲେ ବୋଲି ସେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ କହିଥିଲେ ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ ବିଶ୍ବର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ପାଲଟିଛି । ଷ୍ଟାର୍ଟଅପ୍ ଇଣ୍ଡିଆର ନାୟକ ଯୁବ ବନ୍ଧୁ ବୋଲି ସେ କହିଥିଲେ ।

