ବାଂଲାଦେଶ ପରେ ପାକିସ୍ତାନକୁ ବଡ଼ ଝଟକା ଦେଲା ଆଇସିସି । ଟି୨୦ ବିଶ୍ବକପରୁ ଓହରିଯିବାକୁ ଧମକ ଦେଇଥିବା ପାକିସ୍ତାନକୁ ଚରମବାଣୀ ଶୁଣାଇଛି ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଆଇସିସି । ୨୦୨୬ ଟି୨୦ ବିଶ୍ବକପରେ ଭାଗ ନେବା ନେଇ ସମୟ ସୀମା ଶେଷ ହେଉଥିବା ବେଳେ ପାକିସ୍ତାନ କ୍ରିକେଟ୍ ବୋର୍ଡ଼ ଚେୟାରମ୍ୟାନ୍ ମୋହସିନ ନକଭିଙ୍କ ମନ୍ତବ୍ୟ ବିବାଦ ସୃଷ୍ଟି କରିଛି । ବାଂଲାଦେଶ ବିଶ୍ବକପରୁ ବିଦା ହେବା ପରେ ନକଭି ଧମକ ଦେଇଛନ୍ତି ଯେ ପାକିସ୍ତାନ ମଧ୍ୟ ଓହରିଯିବ । ଏମିତିକି ଆଇସିସି ଦୋମୁହାଁ ନୀତି ଆପଣାଉଛି ବୋଲି ସେ କହିଛନ୍ତି । ଯଦି ପାକିସ୍ତାନ ପାଇଁ ଭାରତ ବାହାରେ ମ୍ୟାଚ୍ ହୋଇ ପାରୁଛି ତେବେ ବାଂଲାଦେଶ କ୍ଷେତ୍ରରେ କାହିଁକି ସମାନ କଥା କରାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ତେବେ ଏହାର ଜବାବ ରଖିଛି ଆଇସିସି । ଯଦି ପାକିସ୍ତାନ ବିଶ୍ବକପରୁ ଓହରି ଯାଏ ତେବେ ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇସିସି ପକ୍ଷରୁ କୁହାଯାଉଛି । ଏମିତିକି ତାକୁ ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ ମଧ୍ୟ କରାଯିବ । ଫଳରେ ଦ୍ବିପାକ୍ଷିକ ସିରିଜରୁ ଆରମ୍ଭ କରି ଏସିଆ କପରେ ମଧ୍ୟ ପାକିସ୍ତାନ ଭାଗ ନେଇ ପାରିବ ନାହିଁ । ଯାହାଫଳରେ ଏହାକୁ ଆଇସିସିରୁ ମିଳୁଥିବା ଅର୍ଥ ବନ୍ଦ ହୋଇଯିବ ଏବଂ ଏହାର ଘରୋଇ କ୍ରିକେଟ୍ ଭୀଷଣ ଭାବେ କ୍ଷତିଗ୍ରସ୍ତ ହେବ । ଏବେ ଦେଖିବାର କଥା ପାକିସ୍ତାନ କି ପଦକ୍ଷେପ ନେଉଛି ।

