ବ୍ରହ୍ମଗିରି: ଦୁଃଖ ଦେଉଛି ଦାଦନ । ଦାଦନ ଖଟିବାକୁ ଯାଇ ମାଙ୍ଗାଲୋରରେ ନିଖୋଜ ହେଲେ ଓଡ଼ିଆ ମତ୍ସ୍ୟଜୀବୀ । ଖୋଜି ଖୋଜି ନିରାଶ ହେଲେଣି ପରିବାର । ପ୍ରଶାସନକୁ ଗୁହାରି କଲେ ବି ଶୁଣୁନି ପ୍ରଶାସନ । ଠିକାଦାର ଦଉନି ଧରାଛୁଆଁ । ଗରିବ ମତ୍ସ୍ୟଜୀବୀ ପରିବାର ଖୋଜିବେ ବା କେମିତି । ପରିବାରର ରୋଜଗାରିଆ ପୁଅ ନିଖୋଜ । ଏପଟେ ପରିବାର ପାଖରେ ଚଳିବା ପାଇଁ ବି ଟଙ୍କାଟିଏ ନାହିଁ ।
କର୍ଣ୍ଣାଟକର ମାଙ୍ଗାଲୋରରେ ହଜି ଯାଇଛନ୍ତି ଦାଦନ ମତ୍ସ୍ୟଜୀବୀ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ଗାଁ ହରଚଣ୍ଡୀ ସାହିର ବିଶୁ ବେହେରା । ବୟସ ତାଙ୍କୁ ୩୫ ହେବ । ଘରେ ବୁଢା ବାପା ମା’ ଓ ସ୍ତ୍ରୀ ସାଙ୍ଗରେ ୮ ବର୍ଷର କୁନି ଝିଅଟିଏ । ଚିଲିକାରେ ମାଛ ଚିଙ୍ଗୁଡ଼ି ଚାଷ ଭଲ ନହେବାରୁ ଏଣେ ତେଣେ କାମ ଖୋଜୁଥିଲେ ବିଶୁ ବେହେରା । ଜୀବିକା କହିଲେ ଚିଲିକାରୁ ମାଛ ମାରି ପରିବାର ପୋଷୁଥିଲେ । କିନ୍ତୁ ତେଲ ଲୁଣର ସଂସାର ଚଳେଇବାକୁ ଅସମର୍ଥ ହେଲେ ବିଶୁ । ଏହି ସମୟରେ ଗାଁ ଦାଦନ ଦଲାଲର ନଜର ପଡ଼ିଥିଲା ବିଶୁ ପରି ଅନେକ ଅଶିକ୍ଷିତ ମତ୍ସ୍ୟଜୀବୀଙ୍କ ଉପରେ । କାମ ଯୋଗାଇଦେବା ନାଁରେ ଦାଦନ ଦଲାଲ ବିଶୁଙ୍କୁ ରାଜ୍ୟ ବାହାରକୁ ଡାକି ନେଇଥିଲା ।
ଆଜକୁ ୬ ମାସ ତଳେ ଦାଦନ ଖଟିବା ପାଇଁ କର୍ଣ୍ଣାଟକର ମାଙ୍ଗାଲୋରକୁ ଚାଲିଯାଇଥିଲେ ବିଶୁ । ସେଠାରେ କିଛି ଦିନ କାମ କରି ଘରକୁ ଟଙ୍କା ପଠାଇଲେ ସତ, ହେଲେ ଗତ କିଛି ମାସ ହେବ ଆଉ ଆସିଲାନି ଟଙ୍କା । ପରିବାର ଲୋକେ ଚଳିବା ପାଇଁ ଆଉଟ ପାଉଟ ହେଲେ । ବିଶୁ ବିଷୟରେ ଜାଣିବା ପାଇଁ ଘର ଲୋକ ଫୋନ୍ ଯୋଗେ ସର୍ମ୍ପକ କରିଥିଲେ ବି କିଛି ଖୋଜ ଖବର ମିଳିଲା ନାହିଁ । ଓଲଟା ଉତ୍ତର ଆସିଲା ବିଶୁ କୁଆଡ଼େ ଚାଲିଯାଇଛି ଆମ ପାଖରେ ନାହିଁ । ଏ କଥା ଶୁଣି ମା ମୁଣ୍ଡରେ ଯେମିତି ଆକାଶଟା ଛିଡି ପଡ଼ିଲା । ସେପଟେ ବିଶୁଙ୍କ ସ୍ତ୍ରୀ ହତବାକ ହୋଇ ଚାହିଁ ରହିଥାନ୍ତି ।
ବିଶୁଙ୍କୁ ଖୋଜିବା ପାଇଁ କର୍ଣ୍ଣାଟକ ଗଲେ ପରିବାର । ଘରର କଂସା ବାସନ ବନ୍ଧା ପକାଇ ପହଞ୍ଚିଲେ ମାଙ୍ଗାଲୋରରେ । ଠିକାଦାରକୁ ଭେଟି ପୁଅକୁ ଖୋଜି ଆଣିବା ପାଇଁ ଦାବି କଲେ । କିନ୍ତୁ ଠିକାଦାର କହିଲା ତୁମ ପୁଅ କୁଆଡ଼େ ରାଗି କରି ଚାଲିଯାଇଛି, ମୁଁ ଜାଣିନି । କିନ୍ତୁ ପରିବାର ଲୋକେ କାକୁତି ମୀନତି ହେବାରୁ ସ୍ଥାନୀୟ ପୋଲିସ ଷ୍ଟେସନରେ ପରିବାର ଲୋକଙ୍କୁ ନେଇ ଅଭିଯୋଗ କରିଥିଲା ଠିକାଦାର । ମାଙ୍ଗାଲୋର ରାସ୍ତାରେ ଗୋଟେ କି ଦୁଇଟି ନିଖୋଜ ପୋଷ୍ଟର ମାରିଦେଇ ବିଶୁଙ୍କ ପରିବାର ଲୋକଙ୍କୁ ଘରକୁ ପଠାଇ ଦେଲା ସେହି ଦାଦନ ବେପାରୀ ।
ବିଶୁ ବେହେରାଙ୍କୁ ଖୋଜି ଆଣିବା ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି । ଏନେଇ ପୁରୀ ଜିଲ୍ଲା

