ତିହିଡ଼ି, ୨୩.୦୧: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ଅଚକ ପଞ୍ଚାୟତ ମହାଜନ ସାହିର ବୀଣାପାଣି ଯୁବ ପରିଷଦର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଯୁବପିଢ଼ି ଆଧୁନିକ ବୁଝାମଣା ସହ ପରମ୍ପରାକୁ ଆପଣେଇନେଲେ ସଂସ୍କୃତିର କଦାପି ନଷ୍ଟ ହୁଏ ନାହିଁ ବରଂ ଏହା ଶାଶ୍ୱତ ହୋଇଉଠେ ବୋଲି କହିଥିଲେ । ସ୍ୱେଦେଶୀ ଦ୍ରବ୍ୟ ବ୍ୟବହାର କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ପରିଷଦର ଉପଦେଷ୍ଟା ଅମରନାଥ ଶତପଥିଙ୍କ ସଭାପତିତ୍ୱ ଓ ଗୀତିକାର ସିଦ୍ଧାର୍ଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାରୋହରେ ସୋସୋ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶବିଶରଣ ଖାମୁରାଇ ମୁଖ୍ୟବକ୍ତା, ଅଚକ ପଞ୍ଚାୟତର ସମିତି ସଭ୍ୟ ମାଧବୀଲତା ଭୋଇ, ସାମ୍ବାଦିକ ରାମନାରାୟଣ ନାୟକ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଅନୁଷ୍ଠାନର ନିରବଚ୍ଛିନ୍ନ କାର୍ଯ୍ୟକ୍ରମ ଅନ୍ୟ ଅନୁଷ୍ଠାନ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି କହିଥିଲେ । ସଭାପତି ମାନସ କୁମାର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ନିରନ୍ତରତା ପ୍ରଦାନ କରିଥିବା ବ୍ୟକ୍ତିବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶିଷ୍ଟ ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟଙ୍କ ପ୍ରବଚନ କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

