ଅନୁଗୁଳ: ପ୍ରଭୁ ଶ୍ରୀରାମମୟ ଶିଳ୍ପନଗରୀ । ଅନୁଗୁଳରେ ପହଞ୍ଚିଲା ପ୍ରଭୁ ଶ୍ରୀରାମଙ୍କର ସୁବର୍ଣ୍ଣ ଧନୁଷ । ରାଉରକେଲା ହନୁମାନ ବାଟିକାରୁ ଆରମ୍ଭ ସ୍ବର୍ଣ୍ଣ କୋଦଣ୍ଡ ଧନୁଷ ଯାତ୍ରା ଆଜି ଅନୁଗୁଳୁରେ ପହଞ୍ଚିଛି । ଅନୁଗୁଳର ଶୈଳଶ୍ରୀ କ୍ଷେତ୍ର ନିକଟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସହ ବିଭିନ୍ନ ସାଂସ୍କୃତିକ, ସାମାଜିକ ଅନୁଷ୍ଠାନର ସଦସ୍ୟମାନେ ଧନୁଷ ଯାତ୍ରାକୁ ଧୁମଧାମରେ ସ୍ୱାଗତ କରିଛନ୍ତି ।
ସନାତନ ଜାଗରଣ ମଞ୍ଚ ପକ୍ଷରୁ କପର, ଜିଙ୍କ, ଆଇରନ, ରୁପା ଏବଂ ୯୮୬ ଗ୍ରାମ ସୁନା ବ୍ୟବହାର କରାଯାଇ ଏହି୨୮୬ କେଜି ଓଜନର ସ୍ବର୍ଣ୍ଣ କୋଦଣ୍ଡ ଧନୁଷ ନିର୍ମାଣ ହୋଇଛି । ଧନୁର ଲମ୍ବ ୮ ଫୁଟ ଥିବାବେଳେ ଚଉଡ଼ା ରହିଛି ସାଢେ ୩ ଫୁଟ । ତାମିଲନାଡୁ କାଞ୍ଚିପୁରମର ୪୦ ଜଣ ମହିଳା କାରିଗର ଏହାକୁ ନିର୍ମାଣ କରିଛନ୍ତି । କାର୍ଗିଲ ଯୁଦ୍ଧ ଠାରୁ ଅପରେସନ ସିନ୍ଦୁରରେ ସହିଦ ହୋଇଥିବା ୧୭ ଶହ ୫୦ ଯବାନଙ୍କ ନାମ ଏଥିରେ ଖୋଦେଇ ହୋଇଛି । ଓଡ଼ିଶାର ବିଭିନ୍ନ ଜିଲ୍ଲା ପରିକ୍ରମା କରି ଧନୁଷ ଯାତ୍ରା ଆସନ୍ତା ୨୨ତାରିଖରେ ଅଯୋଧ୍ୟାରେ ପହଞ୍ଚିବ । ସେଠାରେ ଧନୁଷ ସହ ୩ଫୁଟର ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିର ହେବ ପ୍ରାଣ ପ୍ରତିଷ୍ଠା ।

