କେନ୍ଦ୍ରାପଡା: ଗହଣା ମାଲିକଙ୍କୁ ହାଣି ଟଙ୍କା, ଗହଣା ଲୁଟ ଘଟଣା । ଆହାତ ସୁନାଦୋକାନୀ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି । କେନ୍ଦ୍ରାପଡା-କୁଦାନଗରି ଥାନା ଚଅଁପୁରର ଜଗନ୍ନାଥ ଜୁଏଲାର୍ସ ମାଲିକଙ୍କୁ ହାଣି ସୁନା ଗହଣା ଓ ଲକ୍ଷାଧିକ ଟଙ୍କା ଲୁଟିନେଇଥିଲେ ଦୁର୍ବୃତ୍ତ । ଜଗନ୍ନାଥ ଜୁଏଲାର୍ସର ମାଲିକ ଠାକୁର ହାଟ ଅଞ୍ଚଳର ପ୍ରଦୀପ ନନ୍ଦୀ ।
ସନ୍ଧ୍ୟାରେ ଦୋକାନ ବନ୍ଦ କରି କାରରେ ଘରକୁ ଫେରୁଥିବା ବେଳେ ୩ଟି ବାଇକରେ ୬ଜଣ ଦୁର୍ବୃତ୍ତ ତାଙ୍କ ପିଛା କରିଥିଲେ । ହୁରାସାହି – ଘୋଡ଼ାଦଣ୍ଡା କେନାଲ ବନ୍ଧ ନିକଟରେ ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ତାଙ୍କ ଗାଡ଼ି ଉପରକୁ ଅତର୍କିତ ଆକ୍ରମଣ କରିଥିଲେ । ଏଥିରେ ପ୍ରଦୀପଙ୍କ ଗାଡ଼ି ଚୁରମାର ହୋଇଥିବା ବେଳେ ତାଙ୍କର ଦୁଇ ପାପୁଲି ଛିଣ୍ଡି ଯାଇଛି । ଦୁର୍ବୃତ୍ତମାନେ ପ୍ରଦୀପଙ୍କ ଗହଣା ଭର୍ତ୍ତି ବ୍ୟାଗ୍ ନେଇ ଚମ୍ପଟ ମାରିଛନ୍ତି । କୁଦାନଗରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ଏପର୍ଯ୍ୟନ୍ତ ସଫଳ ହୋଇନାହିଁ ।

