ସ୍ବର୍ଗତ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିବସରେ ବିଜେପି ପକ୍ଷରୁ ଅଟଳ ସ୍ମୃତି ସମ୍ମୀଳନୀ ଆୟୋଜିତ ହୋଇଯାଇଛି। ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଈଶ୍ଵର ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଆଜି ସକାଳ ୯ଟା ସମୟରେ ସେଣ୍ଟ୍ରାଲ ସ୍କୁଲ ନିକଟସ୍ଥ ଜିଲ୍ଲା କାର୍ଯ୍ୟାଳୟରେ ଉକ୍ତ ସମ୍ମେଳନକୁ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବେ ଶାସକ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ଓ ସମ୍ମାନିତ ଅତିଥି ଭାବେ ପୁର୍ବତନ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଓ ମୁଖ୍ୟ ବକ୍ତା ଭାବେ ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ ବାଜପେୟୀ ଜୀଙ୍କ ବାଲ୍ୟ କାଳରୁ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ସୋପାନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ। ବାଲ୍ୟ ଜୀବନରୁ ତାଙ୍କ ବିଚକ୍ଷଣ ମେଧାଶକ୍ତି ଓ ପ୍ରତିଭା ସମସ୍ତଙ୍କୁ ଆକୃଷ୍ଟ କରିଥିଲା। କିଶୋର ଅବସ୍ଥାରେ ସେ ଦେଶପାଇଁ ନିଜକୁ ସମର୍ପିତ ଭାବେ ଅର୍ପଣ କରିଥିଲେ। ତାଙ୍କ ଦୂରଦୃଷ୍ଟି ଚିନ୍ତାଧାରା ପାଇଁ ଭାରତୀୟ ଜନତା ପାର୍ଟି ଆଜି ବିଶ୍ବର ଏକ ନମ୍ବର ରାଜନୈତିକ ଦଳର ମାନ୍ୟତା ପାଇପାରିଛି। ତାଙ୍କ ନେତୃତ୍ବକୁ ପାଥେୟ କରି କର୍ମୀମାନଙ୍କୁ ଆଗେଇ ଯିବାପାଇଁ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ନନ୍ଦ, ଜିଲ୍ଲା ଉପସଭାପତି ବିଜୟ ସାହୁ, ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ପଣ୍ଡା ଓ ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ରାଜ୍ୟ ମହିଳା ମୋର୍ଚ୍ଚାର ନେତ୍ରୀ ସୁଷମା ରାଣୀ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।

