ତିହିଡି – ଡବଲ୍ ଇଞ୍ଜିନ୍ ସରକାର କ୍ଷମତାକୁ ଆସିବା ପରେ ଗତ ୨୦୨୪ ମସିହା ଜୁନ୍ ମାସରୁ ୨୦୨୫ ମସିହା ଜୁଲାଇ ମାସ ମଧ୍ୟରେ ଆମ ରାଜ୍ୟରେ ୩୭,୬୦୦ ମହିଳା ଅତ୍ୟାଚାର ମକଦ୍ଦମା ବିଭିନ୍ନ ଥାନାରେ ରୁଜୁ ହୋଇଛି । ୮୨୨୭ ମହିଳା ଅପହରଣ ହୋଇଛନ୍ତି । ୩୦୫୪ ଜଣ ମହିଳା ଧର୍ଷଣର ଶିକାର ହୋଇଛନ୍ତି। ୯୧୮୧ ଜଣ ମହିଳା ସର୍ବସାଧାରଣ ରାସ୍ତା ଉପରେ ସେମାନଙ୍କ ସମ୍ମାନ ହରାଇଛନ୍ତି । ୫୪୬୪ ଜଣ ମହିଳା ଯୌତୁକ ଜନିତ ହତ୍ୟାରେ ଶିକାର ହୋଇଛନ୍ତି ।

ଏହି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ଗତ ୧୩ ମାସ ମଧ୍ୟରେ ୧୮ ଜଣ ହତ୍ୟାର ଶିକାର ହୋଇଛନ୍ତି । ଗତ ୧୫ ମାସ ଧରି ଚାନ୍ଦବାଲି ଏସଡିପିଓ ପଦବୀ ଫାଙ୍କା ପଡିଥିବା ବେଳେ ଚାନ୍ଦବାଲି ଅଧିନ ବିଭିନ୍ନ ଥାନା ଯଥା ଚାନ୍ଦବାଲି, ବାଂଶଡା, ଧାମରା, ଧାମରା ( ମେରାଇନ୍), ଆଦି ଥାନାରେ ସବ ଇନ୍ସପେକ୍ଟର, କନେଷ୍ଟବଳ ଓ ହାବିଲଦାର ଆଦି ପଦବୀ ଫାଙ୍କା ପଡିଛି । ଚାନ୍ଦବାଲିରେ ଶାସକ ଦଳ ଅପରାଧର ରାଜନୀତିକରଣ ଓ ରାଜନୀତିର ଅପରାଧୀକରଣ କରିବା ଯୋଗୁଁ ବ୍ଲକରେ ଅପରାଧ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସିପିଆଇ(ଏମ) ଉଦବେଗ ପ୍ରକାଶ କରିଛି।

ବାଲିଗାଁ ନାବାଳିକା ଗଣଧର୍ଷଣ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା, ଏହି ଅପରାଧରେ ନ୍ୟାୟିକ ତଦନ୍ତ ସହ ଚାନ୍ଦବାଲି ବ୍ଲକର ବିଭିନ୍ନ ଥାନାରେ ଫାଙ୍କା ପଡିଥିବା ପୋଲିସ ପଦାଧିକାରୀ ମାନଙ୍କ ପଦବୀ ତୁରନ୍ତ ପୂରଣ କରାଯିବାକୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ସିପିଆଇ(ଏମ)ର ଯୁବନେତା ବିକାଶ ନାଥ, ଆଞ୍ଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା, ଆଞ୍ଚଳିକ କମିଟି ସଭ୍ୟ ମଳୟ ଭୋଇ, ଚାଷୀ ନେତା ଅଶୋକ ବେହେରା ପ୍ରମୁଖ ଦାବି କରିଛନ୍ତି । ବ୍ରହ୍ମପୁର ଗଣଧର୍ଷଣ ଘଟଣା, ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ଯାଶ୍ରୀ ବିଶିଙ୍କ ଆନୁଷ୍ଠାନିକ ହତ୍ୟା ଘଟଣା, ଭୁବନେଶ୍ଵର ଧଉଳି ଗଣଧର୍ଷଣ ଘଟଣା, ଚାନ୍ଦବାଲି ବାଲିଗାଁ ଗଣଧର୍ଷଣ ଓ ହତ୍ୟା ଘଟଣା ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି କୁ ସୂଚାଉଛି ସିପିଆଇ(ଏମ) ନେତୃତ୍ବ ପ୍ରକାଶ କରିଛନ୍ତି । ସିପିଆଇ(ଏମ) ପକ୍ଷରୁ ଆସନ୍ତା ୨୫/୧୨/୨୦୨୫ ରିଖରେ ଚାନ୍ଦବାଲି ସମେତ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ବିରୁଦ୍ଧରେ ଚାନ୍ଦବାଲି ବଂଦ ଆନ୍ଦୋଳନ ସଂଗଠିତ କରାଯିବ ବୋଲି ସିପିଆଇ(ଏମ) ନେତା ବିକାଶ ନାଥ ପ୍ରେସ୍ ବିଜ୍ଞପ୍ତି ରେ ଜଣାଇଛନ୍ତି ।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

