ତିହିଡି, ୨୬.୧୦ : ଭଦ୍ରକ ଜିଲ୍ଲା ତିହିଡି ସଦର ବଜାରରେ ଏକ ଠିପି ଖୋଲା ବିଦେଶି ମଦ ଦୋକାନ ଖୋଲାଯିବା ଲାଗି ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି ଏବଂ ସେନେଇ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜାଲିଆତି କରି ସମସ୍ତ ପ୍ରସ୍ତୁତି କରି ସାରି ଦେବାକୁ ଯାଉଛି । ଯାହାକୁ ତିବ୍ର ମାତ୍ରାରେ ବିରୋଧ କରାଯାଇଛି । ଉକ୍ତ ଠିପିଖୋଲା ବିଦେଶି ମଦ ଦୋକାନ ଖୋଲା ଗଲେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ହେବ ବୋଲି ମଧ୍ୟ ଚେତାବନି ଦିଆଯାଇଛି । ସୋମବାର ପୂର୍ବାହ୍ନରେ ରାଜନଗର ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣିରେ ଖୋଦ୍ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଅଭିଯୋଗ କରିବା ସହିତ ଏନଏସି ଅଧିନ କେତେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମଧ୍ୟ ପୃଥକଭାବେ ବିରୋଧ କରିଛନ୍ତି । ଅଭିଯୋଗ ସମ୍ପର୍କିତ ସମସ୍ତ କାଗଜପତ୍ର ଦେଖି ନୂଆ ଦୋକାନ ଖୋଲାଯିବା ଲାଗି ଗାଇଡ୍ ଲାଇନ୍ ପାଳନ କରା ଯାଇନଥିବା ଏବଂ ଅବକାରୀ ବିଭାଗ ପକ୍ଷରୁ ସଠିକ୍ ପ୍ରକ୍ରିୟା ପାଳନ କରାଯାଇ ନଥିବା ଜିଲ୍ଲାପାଳ ହୃଦୟଙ୍ଗମ କରିଥିଲେ ଏବଂ ଫେରିଲା ବେଳେ ପ୍ରସ୍ତାବିତ ଜାଗାକୁ ଅନୁଧ୍ୟାନ କରିଥିବା ଜଣାଯାଇଛି । ପ୍ରସ୍ତାବିତ ଠିପି ଖୋଲା ବିଦେଶି ମଦ ଦୋକାନ ନିକଟରେ ବିଭିନ୍ନ ସ୍କୁଲ, ତିହିଡି କଲେଜ ଓ ଶନି ମନ୍ଦିର ଆଦି ରହିଛି । ଯାହାକୁ ନେଇ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ଥ ଦେଖା ଦେବ । ଏତତ୍ ବ୍ୟତିତ ଜାତୀୟ ରାଜପଥ ୩୨୬ଏ ଯାଇଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ମଧ୍ୟ ରହିଥିବା ଅଧ୍ୟକ୍ଷା ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଅଭିଯୋଗ ପ୍ରଦାନ ସମୟରେ ତାଙ୍କ ସହିତ ସୁରେନ୍ଦ୍ର ନାୟକ, କିର୍ତ୍ତନ ରାଉତ ଓ ସଂଗ୍ରାମ କେଶରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ତିହିଡି ଏନଏସି ଅଧିନ କେତେକ ଏସଏଚଗୋଷ୍ଠି ଜିଲ୍ଲା ଅବକାରୀ ବିଭାଗ ଉପରେ ବର୍ଷିଥିଲେ । ଚଂଚକତା କରି ତିହିଡି ସଦର ବଜାରରେ ମଦ ଦୋକାନ ଖୋଲିବା ଲାଗି ଯେଭଳି ଭାବେ ଉଦ୍ୟମ ଚଳାଇଛି ତାହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳଙ୍କୁ କହିଛନ୍ତି । ସେମାନଙ୍କ ଅଭିଯୋଗ ମୁତାବକ, ଭଦ୍ରକ ଜିଲ୍ଲା ଅବକାରୀ ଅଫିସ ମାଧ୍ୟମରୁ ଗତ ତା ୧୭.୧୦.୨୦୨୬ରିଖରେ ଚିଠି ସଂଖ୍ୟା ନଂ ୨୪୫୨ ଅନୁଯାଇ ୨୦୨୬-୨୦୨୭ ମସିହା ନିମନ୍ତେ ତିହିଡ଼ି ଅଂଚଳର ଖୋଲାଯିବ ବୋଲି ସେମାନେ ସେମାନେ ଜାଣିବାକୁ ପାଇଛନ୍ତି । ଠିପି ଖୋଲା ବିଦେଶି ମଦ ଦୋକାନ ସ୍ଥାନରୁ ୨ ଶହ ମିଟର ଭିତରେ ଗୋଟିଏ ସ୍କୁଲ ଯେଉଁଠାରେ କି ହାଜରେରୁ ଦୁଇ ହଜାର ପିଲା ପାଠ ପଢୁଛନ୍ତି ଓ ୨ ଶହ ମିଟର ଭିତରେ ଗୋଟିଏ ସର୍ବ ପୁରାତନ ଦୁର୍ଗା ମନ୍ଦିର, ଶନି ମନ୍ଦିର ଅବସ୍ଥିତ । ଠିପିଖୋଲା ବିଦେଶି ମଦ ଦୋକାନ ବନ୍ଦ ନହେକେ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଅନ୍ଧକାରକୁ ଯିବା ସହ ମଦ୍ୟପ ମାନଙ୍କ ପ୍ରାଦୃଭାବରେ ମାଆ ମାନଙ୍କର ତଥା ଘର ଲୋକ ମାନଙ୍କର ଜିବନ ଜୀବିକା ଉପରେ କୁପ୍ରଭାବ ପଡ଼ିବ । ସେହି ରାସ୍ତାଦେଇ ପ୍ରତିଦିନ ସ୍କୁଲ, କଲେଜର ଛାତ୍ରଛାତ୍ରୀମାନଙ୍କ ଉପରେ ମଦ୍ୟପ ମାନଙ୍କ ଦୌରାତ୍ମ୍ୟ ଓ ଅଶାଳୀନ ଭାଷାର ପ୍ରଭାବ ପଡିବ । ଯାହା ସେମାନଙ୍କର ଆତ୍ମ ସମ୍ମାନ ଓ ଭବିଷ୍ୟତ ଉପରେ ପ୍ରଶ୍ନବାଚି ସୃଷ୍ଟି କରିବ । ଏସଚଗୋଷ୍ଠି ଏହି ପ୍ରସ୍ତାବିତ ମଦ ଦୋକାନକୁ ସମ୍ପୂର୍ଣ୍ଣ ବିରୋଧ କରିବା ସହ ଏହାକୁ ବନ୍ଦ କରିବା ଲାଗି ନିବେଦନ କରିଛନ୍ତି । ଯଦି ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମି ଦିନରେ ହଜାର ହଜାର ମହିଳା ଭଦ୍ରକ ଚାନ୍ଦବାଲି ରାସ୍ତା ଉପରେ ତିହିଡ଼ି ଠାରେ ଅବରୋଧ କରିବାକୁ ପଛାଇବେ ନାହିଁ ଏବଂ ସେନେଇ ଯେଉଁ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ରହିବ ବୋଲି “ସହଯୋଗ” ଏସଏଚଜିର ସଭାନେତ୍ରୀ ମଞ୍ଜୁଲତା ମିଶ୍ର ଓ ସମ୍ପାଦିକା ଦିପ୍ତୀମୟୀ ଦାସ, “ମା’ ଶ୍ୟାମାକାଳୀ” ଏସଏଚଜିର ସଭାନେତ୍ରୀ କ୍ରିଷ୍ଣାକଲି ସାହୁ ଓ ସମ୍ପାଦିକା ଶଶୀରେଖା ଯତି ପ୍ରମୁଖ ଜିଲ୍ଲା ପ୍ରଶାସନକୁ ଚେତାବନି ଦେଇଥିବା ଜଣାଯାଇଛି । ଏଠାରେ ସୂଚନା ଥାଉକି, ବିଧାନ ସଭା ନିର୍ବାଚନ ସମୟରେ ମଦମୁକ୍ତ ଓଡିଶା ଗଠନ କରିବାର ନାରା ଦେଇଥିଲା ଭାରତୀୟ ଜନତା ପାର୍ଟ । କ୍ଷମତାକୁ ଆସିଲା ଡବଲ୍ ଇଞ୍ଜିନ୍ ସରକାର ମଧ୍ୟ ଗଠନ ହେଲା ମାତ୍ର ପୂର୍ବ ସରକାର ଅପକ୍ଷା ଅଧିକରୁ ଅଧିକ ମଦ ଦୋକାନ ଖୋଲାଯିବାକୁ ଉଦ୍ୟମ ଚାଲିଛି ଯାହାକୁ ତିବ୍ର ବିରୋଧ କରା ଯାଇଛି । ଜିଲ୍ଲା ପ୍ରଶାସନ ଏହାକୁ ସର୍ଜମିନ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ଜୋର ଧରିଛି ।

