ରାଜ୍ୟ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଫକୀର ମୋହନ ମେଡିକାଲ କଲେଜରେ ହୃଦରୋଗ ଚିକିତ୍ସା ବିଭାଗ ଖୋଲିବାକୁ ଦାବି ଉଠାଇଲେ ସଦର ବିଧାୟକ ମାନସ କୁମାର ଦତ୍ତ ;

Spread the love

ହୃଦରୋଗ ଏକ ପ୍ରମୁଖ ସ୍ୱାସ୍ଥ୍ୟ ଜନିତ ସମସ୍ୟା ହୋଇଥିଲେ ବି ବାଲେଶ୍ୱର ଜିଲ୍ଲାରେ ଏହାର ଚିକିତ୍ସା ନେଇ କୌଣସି ସୁବ୍ୟବସ୍ଥା ନାହିଁ । ଏପରିକି ଫକୀର ମୋହନ ମେଡିକାଲ କଲେଜ ଖୋଲିବା ପରେ ମଧ୍ୟ ହୃଦରୋଗକୁ ନେଇ ରୋଗୀ ଯେଉଁ ସମସ୍ୟା ଭୋଗୁଥିଲେ ତାହା ଆଜି ବି ବଳବତ୍ତର ରହିଛି । ସମଗ୍ର ଉତ୍ତର ଓଡିଶାର ଜନସାଧାରଣଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବାକୁ ଦୃଷ୍ଟିରେ ରଖି ସଦର ବିଧାୟକ ମାନସ କୁମାର ଦତ୍ତ ହୃଦରୋଗ ସମସ୍ୟା ନିବାରଣ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ବିଧାନସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ସେ କହିଥିଲେ ଯେ, ସମ୍ପ୍ରତି ରାଜ୍ୟରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମୀର ବିକାଶ ଚାଲିଥିବା ଅବସରରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର ପ୍ରତ୍ୟେକ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତା ରହିଛି । ୫ହଜାରରୁ ଉର୍ଦ୍ଧ୍ୱ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ନିଯୁକ୍ତି ସହ ସରକାର କର୍ମଚାରୀ ଅଭାବ ଦେଖାଦେଇଥିବା ଡାକ୍ତରଖାନାର ସମସ୍ୟା ଦୂର କରି ସ୍ୱାସ୍ଥ୍ୟସେବାକୁ ସ୍ୱାଭାବିକ ସ୍ଥିତିରେ ଆଣିବା ଦିଗରେ ପ୍ରୟାସ ଚଳାଇଛନ୍ତି । ମାତ୍ର ଉତ୍ତର ଓଡିଶାର କେନ୍ଦ୍ରସ୍ଥଳ ଭାବେ ପରିଚିତ ବାଲେଶ୍ୱରରେ ହୃଦରୋଗ ଚିକିତ୍ସା କେନ୍ଦ୍ରର ଅଭାବ ଦୀର୍ଘ ବର୍ଷରୁ ପରିଲକ୍ଷିତ ହେଉଛି । ପ୍ରତିରକ୍ଷା ବିଭାଗର କ୍ଷେପଣାସ୍ତ୍ର ଘାଟି ଓ ଗବେଷଣା କେନ୍ଦ୍ର, ଜାତୀୟ ରାଜପଥ, ରେଳ ବିଭାଗ ପ୍ରଭୃତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରୀୟ କାର୍ଯ୍ୟାଳୟ ପରିଚାଳିତ ହେଉଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଥବା ଫକୀର ମୋହନ ମେଡିକାଲ କଲେଜରେ ହୃଦରୋଗ ଚିକିତ୍ସା ବିଭାଗ ନାହିଁ । ତେବେ ଏ ବାବଦରେ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ଏହା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଇଂଟିଗ୍ରେଟେଡ ଲ୍ୟାବ୍ ଖୋଲିବା ପାଇଁ ଅନୁରୋଧକୁ ରକ୍ଷା କରି ସ୍ୱାସ୍ଥ୍ୟମନ୍ତ୍ରୀ ଏହା କାର୍ଯ୍ୟକାରୀ କରାଇବାରେ ସହୃଦୟତାର ସହ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ବିଧାୟକ ଶ୍ରୀ ଦତ୍ତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ।

ସାମ୍ପ୍ରତିକ ସ୍ଥିତିରେ ହୃଦରୋହ ଜନିତ ସମସ୍ୟା ପାଖାପାଖି ୩୦ପ୍ରତିଶତ ବଢିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଫକୀର ମୋହନ ମେଡିକାଲ କଲେଜରେ ହୃଦରୋଗ ବିଭାଗ ଖୋଲିଲେ ବାଲେଶ୍ୱର ଜିଲ୍ଲା ସମେତ ଉତ୍ତର ଓଡିଶାର ସମସ୍ତ ଜିଲ୍ଲାର ଲୋକେ ଏଥିରୁ ଉପକୃତ ହେବେ । ଏପରିକି ପଡୋଶୀ ରାଜ୍ୟମାନଙ୍କର ରୋଗୀ ମଧ୍ୟ ଉପକୃତ ହେବେ । ବିଗତ ବାହାନଗା ରେଳ ଦୁର୍ଘଟଣା ବେଳେ ଆହତଙ୍କୁ ତ୍ୱରିତ ଚିକିତ୍ସା ଯୋଗାଇବାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଆଜିକାଲି କୌଣସି ଏକ ଛୋଟ ଅସ୍ତ୍ରପୋଚାର ପାଇଁ ପ୍ରତ୍ୟେକ ରୋଗୀଙ୍କୁ ଆବଶ୍ୟକୀୟ ପ୍ରି-ଆନେସ୍ଥେସିଆ ଟେଷ୍ଟ ନେବାକୁ ପଡୁଛି । ଏହି ଟେଷ୍ଟର ପ୍ରଥମ ବିନ୍ଦୁରେ ହୃଦରୋଗ ବିଭାଗର କ୍ଲିଅରାନ୍ସ ରହୁଛି । ସମସ୍ତ ପୃଷ୍ଠଭୂମୀକୁ ଦୃଷ୍ଟିରେ ରଖି ବାଲେଶ୍ୱରରେ ଏକ ହୃଦରୋଗ ଚିକିତ୍ସା କେନ୍ଦ୍ର କାର୍ଯ୍ୟକ୍ଷମ ହେବାର ଆବଶ୍ୟକତା ରହିଛି । ଜିଲ୍ଲାରେ ହୃଦରୋଗୀଙ୍କ ଜୀବନରକ୍ଷା ଏବଂ ତ୍ୱରିତ ଚିକିତ୍ସା ପାଇଁ ଏହା ଅତ୍ୟନ୍ତ ଅତ୍ୟାବଶ୍ୟକ ବୋଲି ବିଧାୟକ ଶ୍ରୀ ଦତ୍ତ ଯୁକ୍ତି ଦର୍ଶାଇଥିଲେ ।

Leave a Reply

Your email address will not be published. Required fields are marked *