ରାଜ୍ୟ

ହରଭଙ୍ଗା ବ୍ଲକ ଅଞ୍ଚଳରେ ଛୁଇଁଛି ଚଳିତ ବର୍ଷର ପ୍ରଥମ ଶୀତ, ଉପଭୋଗ କରୁଛନ୍ତି ଅଞ୍ଚଳବାସୀ

Spread the love

ହରଭଙ୍ଗା: ବିଳମ୍ବରେ ହେଲେ ବି ବୌଦ୍ଧ ଜିଲାର ହରଭଙ୍ଗା ବ୍ଲକ ଅଞ୍ଚଳରେ ଛୁଇଁଛି ଚଳିତ ବର୍ଷର ପ୍ରଥମ ଶୀତ । ଶୀତର ଆଗମନରେ କାକର ଭିଜା ସକାଳ, ଘନ କୁହୁଡିର ଚାଦରରେ ଘୋଡେଇ ବସିଛି ପ୍ରକୃତି ରାଣୀ । ହଠାତ ଶୀତ ପଡିବା ପରେ ସକାଳୁସକାଳୁ ଯୋଗ ବ୍ୟାୟା ମ ବି ଆରମ୍ଭ କରି ଦେଲେଣୀ ଲୋକେ । ବିଳମ୍ବରେ ଆସିଥିବା ଶୀତକୁ ମନଭରି ଉପଭୋଗ କରୁଛନ୍ତି ଅଚଂଳବାସୀ ।

କାର୍ତ୍ତିକ ମାସ ଶେଷ ବେଳକୁ ଚଳିତ ବର୍ଷର ପହିଲି ଶୀତ ଆସି ମାର୍ଗଶୀର ମାସକୁ ସ୍ୱାଗତ କରିବ । ସେଥି ପାଇଁ ଚିକଚିକ୍ ଦିଶିଲାଣି ଘାସ ଗାଲିଚାର କାକର ବିନ୍ଦୁ ଉପରେ ପଡିଥିବା ସୂର୍ଯ୍ୟ କିରଣ । ଘର ଅଗଣା ହେଉ କି ଗହୀର ବିଲ, ସବୁଠି ଭଳିକି ଭଲି ରଙ୍ଗ ବେରଙ୍ଗ ଫୁଲର ସମ୍ଭାରରେ ସଜେଇ ହେଲାଣି ପ୍ରକୃତି । ଥପଥପ କରି ଶୀତ ନିଜ ଦେହରୁ ଓଜାଡି ଦେଉଛି କାକରକୁ । ଫୁଲଫଳ ପନିପରିବା ଠାରୁ ଆରମ୍ଭ କରି ଗହୀର ଧାନ କିଆରୀ ସବୁଠି କାକର ଭିଜା ସ୍ପର୍ଷ । ଏସବୁ ଭିତରେ କାହାର ନଜର ନ ଲାଗି ଯାଉ ସେଥିପାଇଁ ପ୍ରକୃତି ରାଣି ଉପରେ ଘୋଡେଇ ହେଉଛି କୁହୁଡିର ଧଳା ଚାଦର । ଚଳିତ ବର୍ଷ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଞ୍ଚଳରେ ବିଳମ୍ବରେ ଆସିଥିବା ଶୀତ ଆଣି ଦେଇଛି ପ୍ରକୃତିର ଅନେକ ସମ୍ଭାର । ଶୀତକୁ ନେଇ ସମସ୍ତେ ଖୁସି ଅନୁଭବ କରିବା ସହିତ ପହିଲି ଶୀତର ମନଲୋଭା ଅବତରଣକୁ ନେଇ କବି ଓ ଭାବୁକ ମାନେ ହୋଇଛନ୍ତି ଆନମନା ।

ବୌଦ୍ଧ ଜିଲାର କାଶ୍ମୀର କୁହାଯାଉଥିବା ବଣ ଜଙ୍ଗଲଘେରା ଅଞ୍ଚଳରେ ରହିଥିବା ଆଡେଣୀଗଡରେ ପଡିଛି ଶୀତ । ହଠାତ ଶୀତ ପଡିବା ପରେ ବାକ୍ସରେ ସାଇତା ହୋଇ ରହିଥିବା ଶୀତ ବସ୍ତ୍ର ଏବେ ବାହାରକୁ କାଢି ପିନ୍ଧିବା ଆରମ୍ଭ କରିଛନ୍ତି ଲୋକେ । ଶୀତକୁ ନେଇ ରାସ୍ତା ଖେଳ ପଡିଆରେ ଲୋକେ ଯୋଗ ବ୍ୟାୟମ କରୁଥିବା ଦେଖିବାକୁ ମିଳିଛି ।

ଆଞ୍ଚଳିକ ପାଣିପାଗ ବିଭାଗର ପୁର୍ବାନୁମାନ ଅନୁଯାୟୀ ଚଳିତ ବର୍ଷ ବିଳମ୍ବରେ ଆସିଥିବା ଶୀତ ବେଶୀଦିନ ନ ରହି ଚାଲିଯିବ । ଚଳିତ ବର୍ଷର ପ୍ରଥମ ଶୀତର ଅନୁଭୂତିକୁ ନିଜନିଜ ମନରେ ସାଇତି ରଖିବା ପାଇଁ ଅନେକ ସୌନ୍ଦର୍ଯ୍ୟ ଭରା ପ୍ରକୃତିର ପଲକକୁ ମନଭରି ଉପଭୋଗ କରୁଛନ୍ତି ଭାବୁକ । ତେବେ ସେ ଯାହା ବି ହେଉନା କାହିଁକି ଶୀତ ଅନୁଭବ ଏକ ନିଆରା ଆନନ୍ଦ ଆଣିଥାଏ ସମସ୍ତଙ୍କ ମନରେ ।

Leave a Reply

Your email address will not be published. Required fields are marked *