ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ସୃଷ୍ଟି ସୁଦୃଶ ଲଘୁଚାପ ଶନିବାର ପୂର୍ବାହ୍ଣରେ ଅବପାତର ରୂପ ନେଇଥିଲା। ଅକ୍ଟୋବର ୨୭ ତାରିଖରେ ଏହା ବାତ୍ୟାର ରୂପ ନେବା ପରେ ଏବେ ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ବାତ୍ୟାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ଆଜି ସନ୍ଧ୍ୟାରେ ବାତ୍ୟାର ଲ୍ୟାଣ୍ଡଫଲ୍ ଥିବା ବେଳେ ଏନେଇ ଓଡ଼ିଶା ସରକାର ସତର୍କ ରହିଛନ୍ତି। ଅଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି।ମାଲକାନଗିରି ପ୍ରଶାସନ ପକ୍ଷରୁ ଏଯାଏଁ ୨୧୭ଜଣ ଗର୍ଭବତୀ ମହିଳାଙ୍କୁ ମା’ ଗୃହକୁ ସ୍ଥାନାନ୍ତରିତ କରାଯାଇଛି । ବିଶେଷ କରି ଦୁର୍ଗମ ବଣ୍ଡା ଘାଟି, ମାଥିଲି, କୋରୁକଣ୍ଡା, କାଲିମେଳା ବ୍ଲକ ଉପରେ ପ୍ରଶାସନର ସ୍ଵତନ୍ତ୍ର ଦୃଷ୍ଟି ରହିଛି। ମୋଟ ୨୫୩ ଗର୍ଭବତୀଙ୍କୁ ସ୍ଥାନାନ୍ତରିତ କରିବା ଲକ୍ଷ୍ୟ ରଖିଛି ପ୍ରଶାସନ। କେମିତି ଦୁର୍ଗମ ଅଞ୍ଚଳରେ ସ୍ଵାସ୍ଥ୍ୟକର୍ମୀମାନେ ଗର୍ଭବତୀ ମହିଳାଙ୍କୁ ବୁଝା ସୁଝା କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରୁଛନ୍ତି। ଗାଁ ଗାଁ ରେ ମାଇକ ଓ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଉଛନ୍ତି ସ୍ଵାସ୍ଥ୍ୟକର୍ମୀ । ଏଥିସହ ବର୍ତ୍ତମାନ ସୁଧା ୨୮୯ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ୬୧ଟି ଆଶ୍ରୟ ସ୍ଥଳିରେ ରଖା ଯାଇଛି । ମୋଟ ୩୯୬୫ ଲୋକଙ୍କୁ ସ୍ଥାନାନ୍ତର ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ।

