ତିହିଡି, ୨୪.୧୦ : ଭଦ୍ରକ ଜିଲ୍ଲା ଧାମରା ବନ୍ଦର କମ୍ପାନୀରେ ଚାକିରୀ କରାଇ ଦେବା ଆଳରେ ୧୯ ଜଣ ଆଶାୟୀ ଯୁବକଙ୍କୁ ଠକେଇ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ୍ କରିଛି ତିହିଡି ପୋଲିସ । ଗିରଫ୍ ଅଭିଯୁକ୍ତ ସାବରଙ୍ଗ ଧାନାଧିନ ସରଗଡିଆ ବଣିଆ ଗ୍ରାମର ପ୍ରହ୍ଲାଦ ଓଝାଙ୍କ ପୁଅ କମଳାକାନ୍ତ ଓଝା ବୋଲି ଜଣା ଯାଇଛି । ତିହିଡି ଥାନାଧିନ ମହରମପୁର ପଞ୍ଚାୟତ ଅଧିନ ସାନ୍ତରାପୁର ଗ୍ରାମର ଚାକିରୀ ଆଶାୟୀ ଯୁବକ ସୁୁଜୟ କୁମାର ଦାଶଙ୍କ ଅଭିଯୋଗ ମୁଳେ ପୋଲିସ ଏକ ମାମଲା ୪୪୩/୨୬, ଦଫା ୩୧୯(୨), ୩୧୮(୪) ଓ ୨୯୬ ବିଏନଏସ ରୁଜୁକରି ଶୁକ୍ରବାର ରାତିରେ ଗିରଫ୍ କରିବା ପରେ ଶନିବାର ଅପରାହ୍ନରେ କମଳାକାନ୍ତକୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଅଭିଯୋଗ ମୁତାବକ, ଅଭିଯୁକ୍ତ କମଳାକାନ୍ତ ଓଝା ନିଜକୁ ଜଣେ କର୍ମଚାରୀ ବୋଲି ଅବିହିତ କରି ସ୍ଥାନୀୟ ଧାମରା ବନ୍ଦରରେ ଚାକିରୀ କରାଇଦେବ ବୋଲି କହି ଅଭିଯୋଗକାରୀ ସୁଜୟଙ୍କ ସମ୍ପର୍କରେ ଆସିଥିଲା । ଆବେଦନ ପତ୍ର ନେବା ପରେ କାଗଜପତ୍ର ପ୍ରୋସେସିଂ ଓ ସାର୍ଟିଫିକେଟ୍ ଭେରିଫିକେସନ୍ କରାଇ ଦେବା ଆଳରେ ହଜାର ହଜାର ଟଙ୍କା ଫୋନ୍ ପେ ଓ ନଗଦ୍ ଟଙ୍କା ଆକାରରରେ ନେଇଥିଲା । ସୁଜୟ ସମେତ ବିଭିନ୍ନ ଅଞ୍ଚଳର ମୋଟ୍ ୧୯ ଯୁବକଙ୍କ ଠାରୁ ଟଙ୍କା ନେଇଥିଲା । ଚାକିରୀରେ ଭର୍ତ୍ତୀ ହେବା ବାବଦରେ ଆଜିକାଲି କହି ଟାଳି ଚାଲିଥିଲା । ଶୁକ୍ରବାର ସଂଧ୍ୟାରେ ତିହିଡି ବଜାରରେ କମଳାକାନ୍ତ ସହିତ ସୁଜୟଙ୍କ ସହ ଭେଟ ହୋଇଥିଲା । “ଚାକିରୀ ହେଲା ନାହିଁ ହେଲେ ମୋ ଟଙ୍କା ଫେରାଇ ଦିଅ” ବୋଲି କହିବାରୁ ସୁଜୟଙ୍କୁ ସେ ନାନାଦି ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହିତ ଧମକ ଚମକ ଦେଇଥିଲା । ଘଟଣାଟି ଥାନା ପର୍ଯ୍ୟନ୍ତ ଯାଇଥିଲା । ପ୍ରଥମେ ଅଭିଯୁକ୍ତ କମଳାକାନ୍ତଙ୍କୁ ଥାନାରେ ଅଟକ ରଖାଯାଇ ପଚରା ଉଚୁରା କରାଯାଉଥିଲା । ଏହି ସମୟରେ ଅନ୍ୟ ୧୮ ଜଣ ଯୁବକ ଯେଉଁମାନେ ଠକେଇର ଶିକାର ହୋଇଥିଲେ ସେମାନେ ମଧ୍ୟ ଆସି ଠକେଇର ଶିକାର ହୋଇଥିବା ଥାନାରେ ସାକ୍ଷ୍ୟ ପ୍ରଦାନ କରିଥିଲେ । ସୁଜୟ ସମେତ ସତ୍ୟପ୍ରକାଶ ଜେନା, ଅଜୟ କୁମାର ସ୍ୱାଇଁ, ସିମାଂଶୁ ଶେକର ପାଢୀ, କରୁଣାକର ମହାଳିକ, ଶ୍ରୀଧର ଜେନା, କ୍ଷୀରସିନ୍ଧୁ ଜେନା, ଜଗବନ୍ଧୁ ଯେନା, ଦୀନବନ୍ଧୁ ଦାସ, ଜୀବନ ସ୍ୱାଇଁ, ଦୀପକ ସ୍ୱଇଁ, ସୌଭାଗ୍ୟ ସ୍ୱାଇଁ, ବିଶ୍ୱଧର ସାମଲ, ତପନ ବାରିକ, ମହେଶ୍ୱର ଯେନା, ମନୋରଞ୍ଜନ ବେହେରା, ପର୍ଶୁରାମ ଦାସ, ସଦାଶିବ ପାଣିଗ୍ରାହୀ ଓ ମାନସ ରଞ୍ଜନ ମହାନ୍ତିଙ୍କ ଠାରୁ ମୋଟ୍ ୭ ଲକ୍ଷ ୧୬ ହଜାର ୯ ଶହ ଟଙ୍କା ଠକେଇ କରିଥିବା ପୋଲିସ ଜାଣିବାକୁ ପାଇଛି । ଯାହାକୁ ନେଇ ପୋଲିସ୍ ଗିରଫ୍ କରିଥିବା ଜଣାଯାଇଛି । ତେବେ ଅଭିଯୁକ୍ତ କମଳାକାନ୍ତ ଓଝାଙ୍କ ସହ ଆଉ କାହାରି ହାତ ରହିଛି କି ନାହଁ ସେନେଇ ପୋଲିସ ଖୋଳତାଡ ଚଳେଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

