ତିହିଡି, ୨୪.୧୦ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ଓ ମଙ୍ଗଳପୁର ପଞ୍ଚାୟତ ଅଧିନ କନାଟିଆ ଗାଁରେ ୩ଟି ସ୍ଥାନରେ ଲକ୍ଷ୍ମୀନାରାୟଣ ପୂଜାରମ୍ଭ ହୋଇ ଯାଇଛି । ସବୁଠି ନାରାୟଣ ମହାପ୍ରଭୁ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ ପୂଜା ପାଆନ୍ତି । ଏହା ଏକ ସପ୍ତାହବ୍ୟାପୀ ଜମିବ ବୋଲି ଜଣାଯାଇଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ କୁମାର ପୂର୍ଣ୍ଣମୀରେ ଗଜଲକ୍ଷ୍ମୀ ପୂଜା ପାଇ ଆସୁଥିବା ବେଳେ ଏଠାରେ ଲକ୍ଷ୍ମୀନାରାୟଣ ପୂଜା ପାଳନ କରା ଯାଇଥାଏ । ପ୍ରଥମଟି ସିନ୍ଦୋଳ ନୂଆପାଟଣାରେ ୧୯୨୨ ମସିହା ଠାରୁ ପାଳିତ ହୋଇ ଆସୁଥିବା ବେଳେ ୨ୟଟି ଭଦ୍ରକ-ଚାନ୍ଦବାଲି ରାଜପଥ ସିନ୍ଦୋଳ ପଞ୍ଚାୟତ ଅଧିନ ଆରୁହା ଠାରେ ୧୯୭୪ ମସିହାରୁ ପୂଜା ପାଇ ଆସୁଛନ୍ତି । ସେହିପରି ମଙ୍ଗଳପୁର ପଞ୍ଚାୟତ ଅଧିନ କନାଟିଆ ଗାଁରେ ୧୯୬୭ ମସିହାରୁ ସ୍ୱର୍ଗତ ଗୋଲକ ଲେଙ୍କାଙ୍କ ପରିବାର ପକ୍ଷରୁ ଲକ୍ଷ୍ମୀନାରାୟଣ ପୂଜା ହୋଇ ଆସୁଅଛି । ନୂଆପାଟଣାରେ ପାଳିତ ହୋଇ ଆସୁଥିବା ଲକ୍ଷ୍ମୀନାରାୟଣ ପୂଜାତ୍ସୋବ ଚଳିତ ବର୍ଷ ୧୦୫ ବର୍ଷରେ ପଦାର୍ପଣ କରିଛି । ପ୍ରଥମେ ଧୂଳିଆ ଘରେ ଲକ୍ଷ୍ମୀନାରାୟଣଙ୍କ ମୃଣୟୀ ମୂର୍ତ୍ତୀ ପୂଜାରମ୍ଭ ହୋଇଥିଲା । ପରେ ଜନସାଧାରଣଙ୍କ ଠାରୁ ମାଗଣ ତଥା ଗ୍ରାମବାସୀ ସହଯୋଗ କ୍ରମେ ୨୦୦୪ ମସିହାରେ ଲକ୍ଷ୍ମୀନାରାୟଣଙ୍କ ଏକ ବିଶାଳ ଭବ୍ୟ ମନ୍ଦିର ନିର୍ମାଣ ସ୍ଥାପନ ସହ ପାଷାଣ ମୂର୍ତ୍ତୀ ନାରାୟଣ ମହାପ୍ରଭୁ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ ବିରାଜିତ ହୋଇଛନ୍ତି । ପୂର୍ଣ୍ଣିମୀରେ ଲକ୍ଷ୍ମୀନାରାୟଣଙ୍କ ଜଳଯାତ୍ରା ସହ ଛେରା ପହଁରା, ଷୋଡଶ ପୂଜା, ନେତ୍ରପଣା ଏବଂ ଭୋଗ କରାଯାଏ । ପାଲା, ଦାସକାଠିଆ ସମେତ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା ବେଳେ ପୂଜାକୁ ଅଧିକ ସରସ ସୁନ୍ଦର କରିବା ଲକ୍ଷ୍ୟରେ କମିଟି ପକ୍ଷରୁ ଅପେରା ପାର୍ଟିର ବ୍ୟବସ୍ଥା ମଧ୍ୟ କରାଯାଇଛି । ସିନ୍ଦୋଳ ରାସ୍ତା ପାଶ୍ୱର୍ରେ ୧୯୭୪ ମସିହାରେ ଏକ ନୂତନ ଲକ୍ଷ୍ମୀନାରାୟଣଙ୍କର ପୂଜାରମ୍ଭ କରାଯାଇଥିଲା । ଚଳିତ ବର୍ଷ ଏହା ୫୨ ବର୍ଷରେ ପଦାର୍ପଣ କରିଛି । ପୂଜା କମିଟିର ସଦସ୍ୟମାନଙ୍କ ସହଯୋଗ କ୍ରମେ ରାସ୍ତାପାଖ ପଡିଆରେ ୨୦୧୫ ମସିହାରେ ଏକ ସୁନ୍ଦର ମନ୍ଦିର ନିର୍ମାଣ କରା ଯାଇଛି ଏବଂ ମାର୍ବଲ ପଥରର ମୂର୍ତ୍ତୀ ନାରାୟଣ ମହାପ୍ରଭୁ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ ବିରାଜମାନ ହୋଇଛନ୍ତି । ସେହିପରି କନାଟିଆ ଗାଁର ସ୍ୱର୍ଗତ ଗୋଲକଚନ୍ଦ୍ର ଲେଙ୍କା ପରିବାର ପକ୍ଷରୁ ଲକ୍ଷ୍ମୀନାରାୟଣ ପୂଜା ପାଳନ କରାଯାଉଛି । ଚଳିତ ବର୍ଷ ଏହା ୬୦ ବର୍ଷରେ ପଦାର୍ପଣ କରିଛି । ପ୍ରଥମେ କଳସ ପୂଜା କରାଯାଉଥିଲା ଏବଂ ପରେ ମୃଣ୍ମୟୀ ମୂର୍ତ୍ତୀ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇ ଆସୁଥିଲା । ଶେଷରେ ୧୯୯୭ ମସିହାରେ ଏଠାରେ ଏକ ଭବ୍ୟ ମନ୍ଦିର ସ୍ଥାପନା କରାଯାଇ ସେଠରେ ପାଷାଣ ମୂର୍ତ୍ତୀ ନାରାୟଣ ମହାପ୍ରଭୁ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ ପୂଜା ପାଇ ଆସୁଛନ୍ତି । ସ୍ୱୟଂ ଲକ୍ଷ୍ମୀଙ୍କ ବାହାନ ବହୁ ରାଜପେଚାଙ୍କ ଆବିର୍ଭାବ ମନ୍ଦିରର ଶୋଭାବର୍ଦ୍ଧନ କରିଛି । ଏହି ସବୁ ମନ୍ଦିରରେ କୁମାର ପୂର୍ଣ୍ଣିମା ଉତ୍ସବ ରାତିରେ ଚକ୍ଷୂଦାନ ସମୟରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ମାନସିକଧାରୀମାନେ ନେତ୍ରପଣା ସେବନ କରି ବ୍ରତ ଭାଙ୍ଗିଥାନ୍ତି । ହଜାର ହଜାର ନେତ୍ରପଣା ଆଟିକା ଭୋଗ ଲାଗିଥାଏ । କିଏ ବିବାହିତ ବା କିଏ ଅବିବାହିତ ସମସ୍ତେ ଏହି ପୂଜାରେ ମାନସିକ ରଖିବା ସହ ଉପବାସ କରି ସାନିଧ୍ୟଲାଭ କରିଥାନ୍ତି । ଏକ ସପ୍ତାହ ବ୍ୟାପୀ ଏହି ଅଞ୍ଚଳର ଏହା ଏକ ଡାକୁଆ ପର୍ବ ଭାବେ ବେଶ ପରିଚିତ ହୋଇ ଆସୁଅଛି । ମାତ୍ର କରୋନା କଟକଣାରେ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ନଥିବା ବେଳେ ପୂଜାବିଧିକୁ ସମ୍ମାନ ଜଣାଉଛନ୍ତି ।

