ଖର୍ଚ୍ଚ କାଟିବା ପାଇଁ ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି ଆମାଜନ୍
ନୂଆଦିଲ୍ଲୀ: ବହୁ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି ଇ-କମର୍ସ କମ୍ପାନି ଆମାଜନ୍। ରଏଟର୍ସ ଅନୁଯାୟୀ, ଖର୍ଚ୍ଚ ହ୍ରାସ କରିବା ପାଇଁ ଆମାଜନ ପ୍ରାୟ ୩୦ ହଜାର ଲୋକଙ୍କୁ ଛଟେଇ କରିବାକୁ ଯୋଜନା କରୁଛି। ତେବେ ଦେଖିବାକୁ ଗଲେ କମ୍ପାନିର କର୍ମଚାରୀଙ୍କ ତୁଳନାରେ ଏହା ଏକ କ୍ଷୁଦ୍ର ଅଂଶ। କମ୍ପାନିରେ ସର୍ବମୋଟ ୧.୫୫ ନିୟୁତ କର୍ମଚାରୀ ରହିଛନ୍ତି। ୨୦୨୨ ମସିହା ଶେଷ ପରଠାରୁ ଏହା ଆମାଜନ୍ର ସବୁଠାରୁ ବଡ଼ ଛଟେଇ ହେବ। କାରଣ ସେ ସମୟରେ କମ୍ପାନି ୨୭ ହଜାର କର୍ମଚାରୀଙ୍କର ଛଟେଇ କରିଥିଲା। ଆମାଜନର ଜଣେ ମୁଖପାତ୍ର ଏହି ବିଷୟରେ କୌଣସି ମତାମତ ଦେବାକୁ ମନା କରିଦେଇଛନ୍ତି। ଆମାଜନ ଗତ ଦୁଇ ବର୍ଷ ଧରି ବିଭିନ୍ନ ବିଭାଗରୁ ଛୋଟ ଧରଣର ଛଟେଇ ଅଭିଯାନ ଆରମ୍ଭ କରିଛି। ଏଥର କମ୍ପାନି ୩୦ ହଜାରର ଟାର୍ଗେଟ ରଖିଛି। କମ୍ପାନିର ଏହି ନିଷ୍ପତ୍ତି ମାନବ ସମ୍ବଳ, ଲୋକ ଅଭିଜ୍ଞତା ଓ ପ୍ରଯୁକ୍ତିବିଦ୍ୟା, ପରିଚାଳନା, ଡିଭାଇସ୍ ଓ ସେବା, ଆମାଜନ ୱେବ୍ ସେବା ସମେତ ଅନେକ ବିଭାଗକୁ ପ୍ରଭାବିତ କରିପାରେ।
ଆମାଜନର ସିଇଓ ଏଣ୍ଡି ଜେସି ଜୁନ୍ ମାସରେ କହିଥିଲେ ଯେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପକରଣର ବର୍ଦ୍ଧିତ ବ୍ୟବହାର ଆହୁରି ଲୋକଙ୍କ ଚାକିରିକୁ କମାଇପାରେ। ଏହି ନୂତନ ପଦକ୍ଷେପ ସୂଚାଉଛି କି ଆମାଜନ କର୍ପୋରେଟ୍ ଦଳ ମଧ୍ୟରେ ଏଆଇ-ଆଧାରିତ ଉତ୍ପାଦକତା ବୃଦ୍ଧି କରୁଛି। ଯାହାଦ୍ୱାରା କର୍ମଚାରୀଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବ।