ରାଜ୍ୟ

ବାଲେଶ୍ୱର ପୌରାଂଚଳର ଶୋଭାରମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କଲେ ସଦର ବିଧାୟକ ମାନସ ଦତ୍ତ ;

Spread the love

ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଦ୍ୟାଳୟଗୁଡିକରେ ଶିକ୍ଷାଦାନର ମାନ ଯାଂଚ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ । ଏହି କ୍ରମରେ ସେ ବାଲେଶ୍ୱର ପୌରାଂଚଳର ୨୦ନଂ ୱାର୍ଡର ଶୋଭାରାମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇଥିଲେ । ସେଠାରେ ଶୋଭାରାମପୁର ଉଚ୍ଚ ବିଦ୍ୟାଳୟର ସ୍ମାର୍ଟ କ୍ଲାସରେ ନିଜେ କିଛି ସମୟ ବସି ସେ ଶିକ୍ଷାଦାନର ପଦ୍ଧତି ଅନୁଧ୍ୟାନ କରିଥିଲେ । ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅଧିକ ଛାତ୍ରବତ୍ସଳ ହୋଇ ଶିକ୍ଷାଦାନ ପାଇଁ ଶ୍ରୀ ଦତ୍ତ ପରାମର୍ଶ ଦେଇଥିଲେ । ଏହା ସହିତ ବିଦ୍ୟାଳୟରେ ଦେଖାଦେଉଥିବା ସମସ୍ୟା ସମ୍ପର୍କରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଠାରୁ ଅବଗତ ହୋଇଥିଲେ । ସମ୍ପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ‘ଆସ ସ୍କୁଲ ଯିବା’ ଅଭିଯାନରେ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ ସଂଖ୍ୟା ସମ୍ପର୍କରେ ସେ କର୍ତ୍ତୃପକ୍ଷଙ୍କ ଠାରୁ ଅବଗତ ହୋଇଥିଲେ ।

ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ କିଛି ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବାରୁ ସେମାନଙ୍କ ଅଭିଭାବକଙ୍କ ସହ ଆଲୋଚନା ପାଇଁ ସ୍ଥାନୀୟ ସିଆରସିସିଙ୍କୁ ବିଧାୟକ ଶ୍ରୀ ଦତ୍ତ ପରାମର୍ଶ ଦେଇଥିଲେ । ଜଣେ ହେଲେ ପିଲା ଯେମିତି ବିଦ୍ୟାଳୟସ୍ତରୀୟ ଶିକ୍ଷାଦାନରୁ ବଂଚିତ ନ ହେଉ ସେ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଉଥିବା ଏହି ଅବସରରେ ବିଧାୟକ ଶ୍ରୀ ଦତ୍ତ କହିଥିଲେ । ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ମଧ୍ୟରେ ପିଲାଟି ପାଠ ପଢି ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ କରିବା ଏହିଭଳି ପରିଦର୍ଶନର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ଦତ୍ତ ସୂଚନା ଦେଇଥିଲେ ।

ବିଦ୍ୟାଳୟସ୍ତରୀୟ ଶିକ୍ଷା ବ୍ୟବସ୍ଥାରେ ଅଭିଭାବକଙ୍କ ମଧ୍ୟରେ ସଚେତନତା ସହିତ ଶିକ୍ଷକ ଶିିକ୍ଷୟତ୍ରୀଙ୍କ ଆନ୍ତରିକତାର ସହ ଶିକ୍ଷାଦାନ ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ତେବେ ଆବଶ୍ୟକତା ଅନୁଯାୟୀ ବିଦ୍ୟାଳୟ ବିକାଶ ପାଇଁ ପ୍ରୟାସ ଜାରି ରହିଛି ବୋଲି ବିଧାୟକ ଶ୍ରୀ ଦତ୍ତ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀ ସମେତ କାଉନସିଲର ନିରୂପମା ଦାଶ, ଗଙ୍ଗାଧର ରାଉତ, ଉପେନ୍ଦ୍ର ଶତପଥୀ, ସୀତାକାନ୍ତ ସ୍ୱାଇଁ, ଶୈଳେନ୍ଦ୍ର ଦାଶ, ରାଜେନ୍ଦ୍ର ଚାଟାର୍ଜୀ ପ୍ରମୁଖ ଏହି ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *