Uncategorized

ଇସ୍ରାଏଲ ଏବଂ ହମାସ ଯୁଦ୍ଧବିରତି ଚୁକ୍ତି ସ୍ୱାକ୍ଷର କରିବା ପରେ ଇସ୍ରାଏଲ ଗାଜା ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ଗାଜାରେ ଅତି କମରେ ୩୦ଜଣଙ୍କର ମୃତ୍ୟୁ ହୋଇଛି।

Spread the love

ନୂଆଦିଲ୍ଲୀ:  ଇସ୍ରାଏଲ ଓ ହମାସ ମଧ୍ୟରେ ଦୀର୍ଘ ଦୁଇ ବର୍ଷ ଧରି ଚାଲିଥିବା ସଂଘର୍ଷ ଶେଷ କରିବା ପାଇଁ ଏକ ଐତିହାସିକ ଶାନ୍ତି ଚୁକ୍ତିର ପ୍ରଥମ ପର୍ଯ୍ୟାୟକୁ ନେଇ ସହମତି ପ୍ରକାଶ ପାଇଛି ବୋଲି ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ। ଏହି ଘୋଷଣା ପରେ ପରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପାଲେଷ୍ଟାଇନ ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ଇସ୍ରାଏଲ ଏବଂ ହମାସ ଯୁଦ୍ଧବିରତି ଚୁକ୍ତି ସ୍ୱାକ୍ଷର କରିବା ପରେ ଇସ୍ରାଏଲ ଗାଜା ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ଗାଜାରେ ଅତି କମରେ ୩୦ଜଣଙ୍କର ମୃତ୍ୟୁ ହୋଇଛି।

ସ୍ଥାନୀୟ ଅଲ୍-ଶିଫା ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ମହମ୍ମଦ ଆବୁ ସଲମିୟା କହିଛନ୍ତି ଯେ, ଆକ୍ରମଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବୁଧବାର ସନ୍ଧ୍ୟାରୁ ମୋଟ ୩୦ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଛି।

ଉଲ୍ଲେଖଯୋଗ୍ୟ, ୨୦୨୩ ଅକ୍ଟୋବର ୭ରେ ହମାସର ଆକ୍ରମଣରେ ୧,୨୦୦ ଇସ୍ରାଏଲୀ ନାଗରିକ ନିହତ ହୋଇଥିଲେ ଓ ୨୫୦ରୁ ଅଧିକଙ୍କୁ ପଣବନ୍ଦୀ ଭାବେ ନିଆଯାଇଥିଲା। ଇସ୍ରାଏଲର ପ୍ରତିଆକ୍ରମଣରେ ଗାଜାରେ ୬୦,୦୦୦ରୁ ଅଧିକ ପାଲେଷ୍ଟାଇନ ନାଗରିକ ନିହତ ହୋଇଛନ୍ତି। ୨ବର୍ଷ ପରେ ବୁଧବାର କତର, ଇଜିପ୍ଟ ଓ ଆମେରିକାର ମଧ୍ୟସ୍ଥତା ପରେ ଶାନ୍ତି ଚୁକ୍ତି ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲ ୬ ସପ୍ତାହ ପାଇଁ ଗାଜାରେ ସାମରିକ କାର୍ଯ୍ୟକଳାପ ବନ୍ଦ କରିବ ଓ  ପାଲେଷ୍ଟାଇନ କଏଦୀଙ୍କୁ ମୁକ୍ତ କରିବ ବୋଲି କୁହାଯାଇଥିଲା। ଏହା ସହ ଗାଜାକୁ ମାନବୀୟ ସାହାଯ୍ୟ ମଧ୍ୟ ଯୋଗାଇ ଦିଆଯିବ ସ୍ପଷ୍ଟ କରାଯାଇଥିଲା। ହମାସ କହିଥିଲା ଯେ, ଏହି ଯୁଦ୍ଧବିରତି ପାଲେଷ୍ଟାଇନବାସୀଙ୍କ ଦୁଃଖ ହ୍ରାସ କରିବ, କିନ୍ତୁ ଇସ୍ରାଏଲର ଏହି ଅଂଚଳ ଉପରେ ଅଧିକାରର ଅନ୍ତ ହେବା ଆବଶ୍ୟକ। ତେବେ ଶାନ୍ତି ଚୁକ୍ତି ହେବା ପରେ ପରେ ୩୦ଜଣଙ୍କ ଜୀବନ ଯିବା ଖବର ଏବେ ଚର୍ଚ୍ଚାରେ ରହିଛି।

Leave a Reply

Your email address will not be published. Required fields are marked *