ପ୍ରଳୟ ପରେ ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ ଧାମୀ… ଲୋକେ ବଖାଣିଲେ ଗତ ରାତିର ଲୋମଟାଙ୍କୁରା କାହାଣୀ
ଡେରାଡୁନ: ବାଦଲଫଟା ବର୍ଷା ପରେ ଡେରାଡୁନରେ ହୋଇଥିବା କ୍ଷୟକ୍ଷତି ଏବଂ ପ୍ରଳୟ ପରର ସ୍ଥିତି ଅନୁଧ୍ୟାନ କରିବାକୁ ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ମାଲଦେବତା ଅଞ୍ଚଳର କେସରଓ୍ଵାଲାରେ ବନ୍ୟା ଏବଂ ବାଦରଫଟା ବର୍ଷାରୁ ଆସିଥିବା ପ୍ରଳୟ ଜନିତ କ୍ଷତି ଦେଖିଛନ୍ତି ଧାମୀ । ପ୍ରକୃତିର ପ୍ରଳୟ ପରେ ଜେସିବିରେ ବସି ନିଜେ ମୁଖ୍ଯମନ୍ତ୍ରୀ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲୁଛନ୍ତି । ସହସ୍ତ୍ରଧାରା ଅଞ୍ଚଳରେ ୧୦୦ ମିଟର ଯାଏଁ ରାସ୍ତା ଧୋଇଯାଇଥିବା ବେଳେ ଉକ୍ତ ସ୍ଥାନରେ ସ୍ଥିତି ସମୀକ୍ଷା କରୁଛନ୍ତି । ପାଣି ଘେରରେ ଫସିଥିବା ଲୋକଙ୍କୁ କେମିତି ଶୀଘ୍ର ଉଦ୍ଧାର କରିହେବ ଏବଂ କ୍ଷତିର ଭରଣା କେମିତି ଜଲଦି ହେବ ସେ ନେଇ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ଧାମୀ । ଧାମୀ କହିଛନ୍ତି- ବାଦଲଫଟା ବର୍ଷା କାରଣରୁ ଅନେକ ଘର, ସରକାରୀ ସମ୍ପତ୍ତି ନଷ୍ଟ ହୋଇଛି । ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ୨୫ରୁ ୩୦ଟି ସ୍ଥାନରେ ରାସ୍ତା ପୂରା ଧୋଇଯାଇଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ପରିସ୍ଥିତିରେ ସୁଧାର ଆଣିବାକୁ ଉଦ୍ୟମ ଚାଲିଛି । ନଦୀର ଭୟଙ୍କର ରୂପ ଏବେବି ରହିଛି । ସକାଳେ ପ୍ରଧାନମନ୍ତ୍ରୀ ଫୋନରେ କଥା ହୋଇ ସ୍ଥିତିର ସୂଚନା ନେଇଛନ୍ତି । ସବୁ ପ୍ରକାର ସହାୟତା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଆମର ସବୁ ବିଭାଗ ଯୁଦ୍ଧକାଳୀନ ପରିସ୍ଥିତିରେ ଉଦ୍ଧାର କାମ କରୁଛନ୍ତି ।